Categories: ଅନୁଗୋଳ

କାଳବୈଶାଖୀରେ ଉଡ଼ିଗଲା ସ୍କୁଲ ଆଜବେଷ୍ଟସ

ବଇଣ୍ଡା,୧୦।୬(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ଓ ଆଠମଲ୍ଲିକ ବ୍ଲକରେ ସୋମବାର ଅପରାହ୍ନରେ କାଳବୈଶାଖୀ ହୋଇଛି। ପ୍ରବଳ ବର୍ଷା ସାଙ୍ଗକୁ ପବନ ବୋହିବା ଯୋଗୁ ବହୁ କ୍ଷତି ହୋଇଛି। ଆଠମଲ୍ଲିକ ବ୍ଲକ ପେଡ଼ିପଥର ପଞ୍ଚାୟତ କନକେଇ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହ ଛପର ଉଡ଼ିଯାଇଥିବାବେଳେ ଅନେକ ଘରର ଚାଳ ଛପର ଉଡ଼ିଯାଇଛି। ସେହିପରି ହଣ୍ଡପା ଛକରେ ଦେଇଥିବା ଉଠା ଦୋକାନୀଙ୍କ ସହ କେନ୍ଦୁପତ୍ର କାର୍ଯ୍ୟାଳୟର ଆଜବେଷ୍ଟସ ମଧ୍ୟ ଉଡ଼ିଯାଇ କ୍ଷତିଗ୍ରସ୍ତ ହୋଇଛି।
ସେହିପରି ଆଠମଲ୍ଲିକ ରୋଡ଼ ବଇଣ୍ଡା ନିକଟସ୍ଥ ଶଙ୍ଖାରି ସାହିଠାରେ ଗଛ ଡାଳ ଭାଙ୍ଗି ବିଦ୍ୟୁତ୍‌ ତାର ଉପରେ ପଡ଼ିବାରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ନୁନୁକାପଶି ଗ୍ରାମରେ ବଜ୍ରପାତରେ ଏକ ତାଳଗଛ ଜଳିଯାଇଛି। ଅନେକ ଉଠା ଦୋକାନୀଙ୍କ ଆଜବେଷ୍ଟସ ଗୃହ ଉଡ଼ିଯାଇ କ୍ଷତିଗ୍ରସ୍ତ ହୋଇଛି। ବାରମ୍ବାର ପ୍ରାକୃତିକ ଝ଼ଡରେ ସାଧାରଣ ଲୋକ ବ୍ୟାପକ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ ସେମାନଙ୍କୁ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦିଆଯାଉ ନ ଥିବା ଯୋଗୁ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ କ୍ଷତିପୂରଣ ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଛି।