କାଲିଠୁ ଆଦର୍ଶ ବିଦ୍ୟାଳୟରେ ନାମଲେଖା

ଭୁବନେଶ୍ୱର,୧୭।୬(ବ୍ୟୁରୋ)-ରାଜ୍ୟରେ ଥିବା ସମସ୍ତ ୨୧୪ ଆଦର୍ଶ ବିଦ୍ୟାଳୟରେ ଗୁରୁବାରଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଷଷ୍ଠ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ଛାତ୍ରୀଛାତ୍ରଙ୍କ ନାମ ମେଧା ତାଲିକାରେ ପ୍ରକାଶ ପାଇଛି। ଏହି ଛାତ୍ରୀଛାତ୍ରମାନେ ୧୮ରୁ ୨୭ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ସେହିପରି ସପ୍ତମ, ଅଷ୍ଟମ, ନବମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ଛାତ୍ରୀଛାତ୍ର ବା ଲାଟେରାଲ ଏଣ୍ଟ୍ରି ଛାତ୍ରୀଛାତ୍ରମାନେ ଏହି ସମୟ ମଧ୍ୟରେ ନାମ ଲେଖାଇବେ। ଓ୍ବେଟିଂ ଲିଷ୍ଟରେ ଯେଉଁମାନେ ଥିବେ ସେମାନେ ୨୯ରୁ ଜୁଲାଇ ୪ ଭିତରେ ନାମ ଲେଖାଇବେ। ଜୁଲାଇ ୧୫ ସୁଦ୍ଧା ସମସ୍ତ ନାମଲେଖା ଶେଷ ହେବ। ନାମଲେଖା ପ୍ରକ୍ରିୟା ସବୁ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଚାଲିବ। ଆବଶ୍ୟକ ପଡ଼ିଲେ ନାମଲେଖା ପାଇଁ ବିଦ୍ୟାଳୟ ଅଧ୍ୟକ୍ଷ ଦୁଇଟି ପୃଥକ ହଲ୍‌ ବ୍ୟବସ୍ଥା କରିପାରିବେ ବୋଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।