କାର ଧକ୍କାରେ ମହିଳାଙ୍କ ଜୀବନ ଗଲା, ଝିଅ ଗୁରୁତର

ଝାରସୁଗୁଡା ଅଫିସ,୧୮।୪-ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ନିକଟସ୍ଥ କୁକୁରିକାନି ସରକାରୀ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଫେରୁଥିବା ବେଳେ ଶନିବାର ଏକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି କୁତାବଗା ଗ୍ରାମର ୩୫ ବର୍ଷୀୟା ମହିଳା ଲତା ବେହେରା। ସେ ତାଙ୍କ ଝିଅ ରେଣୁକାଙ୍କ ସହ ରାସ୍ତାରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଏକ କାର ସେମାନଙ୍କୁ ଧକା ଦେଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ମଣ୍ଡଳିଆସ୍ଥିତ କେନ୍ଦ୍ରୀୟ ଚିକିତ୍ସାଲୟକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଝିଅ ରେଣୁକା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସ୍ଥାନୀୟ ପୋଲିସ କାରକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି।