Categories: ଜାତୀୟ

କାର୍‌ ଛାତ ଭାଙ୍ଗି ପଶିଲା ବ୍ଲାଷ୍ଟିଂ ପଥର: ଘଟଣାସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ

ଭୋପାଳ,୧୫।୧୦: କୁହାଯାଏ ମୃତ୍ୟୁ କେଉଁଠାରେ ଓ କିଭଳି ଆସିବ ତାହା କେହି ଭାବି ବି ନ ଥିବେ। କିଛି ଏଭଳି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶରୁ। ରାସ୍ତାରେ ଯାଉଥିବା ବେଳେ ବ୍ଲାଷ୍ଟିଂର ଏକ ପଥର ଖଣ୍ଡ କାର୍‌ ଛାତକୁ ଭାଙ୍ଗି ବ୍ୟକ୍ତିଙ୍କ ଉପରେ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ବେତୁଲର ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କରେ କାର୍ଯ୍ୟରତ ଥିବା ଅଶୋକ ପାଓ୍ବାର(୪୫) ସୋମବାର ୨ କର୍ମଚାରୀଙ୍କ ସହ କାର୍‌ରେ ମୁଲତାଇକୁ ଯାଉଥିଲେ। ବେତୁଲ-ନାଗପୁର ହାଇଓ୍ବେରେ ଅଶୋକ ଯାଉଥିବା ସମୟରେ ନିକଟରେ ଥିବା ଏକ ପଥର କ୍ରଶରରେ ବ୍ଲାଷ୍ଟିଂ କାମ ଚାଲିଥିଲା। ସେହି ବ୍ଲାଷ୍ଟିଂର ଏକ ପଥର ଖଣ୍ଡ ଆସି କାର୍‌ର ଛାତକୁ ଭାଙ୍ଗି ଅଶୋକଙ୍କ ମୁଣ୍ଡରେ ବାଜିଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨କର୍ମଚାରୀ ଆହତ ହୋଇଛନ୍ତି। ହଠାତ୍‌ ଅଶୋକଙ୍କ ମୃତ୍ୟୁ ହୋଇଯିବାରୁ ପାଖରେ ବସିଥିବା ଅନ୍ୟ କର୍ମଚାରୀ ସଙ୍ଗେ ସଙ୍ଗେ କାର୍‌କୁ ନିଜ ନିୟନ୍ତ୍ରଣକୁ ଆଣି ରାସ୍ତାକଡ଼କୁ ସାଇଟ୍‌ କରିଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରିଛି। ଅନ୍ୟପଟେ ବେତୁଲର ଜିଲାପାଳ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଉକ୍ତ କ୍ରଶରକୁ ସିଲ୍‌ କରିଦିଆଯାଇଛି।

Share