କାର୍‌ରେ ଯୁବତୀଙ୍କୁ ଗଣବଳାତ୍କାର ମାମଲା: ମିଳିଲା ମେଡିକାଲ ରିପୋର୍ଟ, କେବେ ହଟିବ ପର୍ଦ୍ଦା

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ଚଳନ୍ତା କାର୍‌ରେ ଯୁବତୀଙ୍କୁ ଗଣବଳାତ୍କାର ଘଟଣାର ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ଇତିମଧ୍ୟରେ ଯୁବତୀଙ୍କ ମେଡିକାଲ ରିପୋର୍ଟ ପୋଲିସକୁ ହସ୍ତଗତ ହୋଇଛି। ବଳାକତ୍ାର କରାଯାଇ ନ ଥିବା ନେଇ ସେଥିରେ ଉଲ୍ଲେଖ ରହିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ତେବେ ତଦନ୍ତରେ ବାଧା ଉପୁଜିବା କାରଣରୁ ପୋଲିସ ଏ ନେଇ ମୁହଁ ଖୋଲିବାକୁ ଚାହୁଁ ନ ଥିବାରୁ ଉକ୍ତ ରିପୋର୍ଟରେ ହିଁ ରହସ୍ୟ ଲୁଚି ରହିଥିବା ଜଣାପଡ଼ିଛି। କାରଣ ପୋଲିସକୁ ଶୁକ୍ରବାର ପୂର୍ବାହ୍ନ ୧୧ଟାରୁ ମେଡିକାଲ ରିପୋର୍ଟ ମିଳିଥିଲେ ମଧ୍ୟ ଥାନାରେ ୩ଦିନ ହେବ ଅଟକ ଥିବା କାର୍‌ ଚାଳକଙ୍କୁ କୋର୍ଟଚାଲାଣ କରାଯାଉନି କି ଛଡ଼ାଯାଉ ନ ଥିବାରୁ ଘଟଣାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବଳାତ୍କାର କରାଯାଇଥିବା ମେଡିକାଲ ରିପୋର୍ଟରେ ଉଲ୍ଲେଖ ରହିଥିଲେ ତୁରନ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥାନ୍ତା। ଜଣେ ପୋଲିସ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ଯୁବତୀଙ୍କ ଅଭିଯୋଗର ସତ୍ୟତା ନାହିଁ। ହେଲେ କିଭଳି ସେ କାର୍‌ରୁ ପଡିଲେ ତାହାର ତଦନ୍ତ କରାଯାଉଛି। ଏଠାରେ ପ୍ରଶ୍ନ ଉଠୁଛି, ଯୁବତୀ ଜଣକ କ’ଣ ପାଇଁ ବଳାତ୍କାର ଭଳି ସଙ୍ଗିନ ଅଭିଯୋଗ ଆଣିଥିଲେ। ଅନ୍ୟପକ୍ଷରେ ଘଟଣାଦିନ ଉକ୍ତ କାର୍‌ରେ ଆଉ ଜଣେ ମଧ୍ୟ ବଳାତ୍କାର କରିଥିବା ଯୁବତୀ ତାଙ୍କ ବୟାନରେ କହିଥିଲେ। ହେଲେ ଏହି ଦ୍ୱିତୀୟ ବ୍ୟକ୍ତି ଜଣକ କିଏ ତାହା ଏପର୍ଯ୍ୟନ୍ତ ଜଣାପଡିନି। ଏପରି କି ପୋଲିସ ଯୁବତୀଙ୍କ ସିଡିଆର୍‌କୁ ଯାଞ୍ଚ କରିବା ପରେ ସେ ପୂର୍ବରୁ ଉକ୍ତ କାର ଚାଳକଙ୍କ ସହ ବହୁଥର କଥା ହୋଇଛନ୍ତି। ତେଣୁ କେଉଁ କାରଣ ପାଇଁ ଯୁବତୀ ଜଣକ ଏଭଳି ମିଛ ଅଭିଯୋଗ ଆଣିଲେ ତାହା ଉପରୁ ରବିବାର ଡିସିପି ଏକ ଖବରଦାତା ସମ୍ମିଳନୀ କରି ପରଦା ହଟାଇବେ ବୋଲି ସୂଚନା ମିଳିଛି।