କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ଢେଙ୍କାନାଳ ଅଫିସ,୧୨ା୪:ଢେଙ୍କାନାଳ ପୌରାଞ୍ଚଳର ୧୯ନଂ. ୱାର୍ଡରେ ରହୁଥିବା ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଉପରକୁ ଶନିବାର ବିଳମ୍ବିତ ରାତିରେ ହୋଇଥିବା ବୋମାମାଡ଼ ଘଟଣାକୁ ତୀବ୍ର ନିନ୍ଦା କରିଛି ରାଜ୍ୟ ଭାଜପା। ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଜୋର୍‌ଦାର ଆନ୍ଦୋଳନ କରାଯିବ ବୋଲି ସୋମବାର ଘଟଣାସ୍ଥଳ ପରିଦର୍ଶନରେ ଆସିଥିବା ରାଜ୍ୟ ଭାଜପାର ଏକ ପ୍ରତିନିଧି ଦଳ ଚେତାବନୀ ଦେଇଛି।
ରାଜ୍ୟ ଭାଜପା ପକ୍ଷରୁ ଏକ ସ୍ବତନ୍ତ୍ର ପ୍ରତିନିଧି ଦଳ ଅପରାହ୍ନ ୩ଟାରେ ଢେଙ୍କାନାଳରେ ପହଞ୍ଚିଥିଲା। ଏହି ପ୍ରତିନିଧି ଦଳରେ ଥିବା ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଲୋଇସିଙ୍ଗା ବିଧାୟକ ଡ. ମୁକେଶ ମହାଲିଙ୍ଗ, ରାଜ୍ୟ ଭାଜପା ଉପସଭାପତି ତଥା ଢେଙ୍କାନାଳ ଜିଲା ପ୍ରଭାରୀ ପ୍ରଭାତୀ ପରିଡା, ଅନ୍ୟ ଉପସଭାପତି ଅନିତା ଶୁଭଦର୍ଶିନୀ ପୌରାଧ୍ୟକ୍ଷାଙ୍କ ଘର ତଥା ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ପରେ ପ୍ରତିନିଧି ଦଳ ପୌରାଧ୍ୟକ୍ଷା ପାତ୍ର ଓ ତାଙ୍କ ସ୍ବାମୀ ରାଜ୍ୟ ଭାଜପା କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ରଙ୍କ ସହିତ ଆଲୋଚନା କରିଥିଲେ। ବିଜୁ ଜନତା ଦଳ ଲୋକମାନଙ୍କୁ ଭୟଭୀତ କରି ଭୋଟ ହାତେଇଛି। ଗୁଣ୍ଡାମାନଙ୍କୁ ପ୍ରୋତ୍ସାହନ ଦେଇଛି। ସେମାନଙ୍କ ମାଧ୍ୟମରେ ନିର୍ବାଚନ ଜିତିଛି। ପ୍ରଶାସନ ଓ ପୋଲିସ ବିଜେଡିର ହାତବାରିସୀ ସାଜିଛନ୍ତି। ଏହି କାରଣରୁ ନିର୍ବାଚନ ପରବର୍ତ୍ତି ହିଂସା ରାଜ୍ୟରେ ଅଣାୟତ୍ତ ହୋଇଛି। ଅଭିଯୁକ୍ତମାନଙ୍କୁ ପୋଲିସ ଘଣ୍ଟ ଘୋଡ଼ାଉଛି। ରାଜ୍ୟ ସରକାର ମହିଳା ସଶକ୍ତୀକରଣ କଥା କହୁଥିବା ବେଳେ ପୌର ପରିଷଦର ଅଧ୍ୟକ୍ଷ ପଦବୀରେ ବସିଥିବା ଜଣେ ମହିଳାଙ୍କ ଘର ଉପରକୁ ଏଭଳି ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଭାଜପା ରାସ୍ତାକୁ ଓହ୍ଲାଇବ ବୋଲି ପ୍ରତିନିଧିମଣ୍ଡଳୀ ଚେତାବନୀ ଦେଇଥିଲେ। ଏହାପରେ ପ୍ରତିନିଧି ମଣ୍ଡଳୀ ପୌରାଧ୍ୟକ୍ଷାଙ୍କ ସୁରକ୍ଷା ଏବଂ ଦୋଷୀଙ୍କ ଗିରଫ ଦାବିରେ ଜିଲାପାଳ ସରୋଜ କୁମାର ସେଠୀଙ୍କୁ ଭେଟି ଆଲୋଚନା କରିଥିଲେ।