କାର୍ଯ୍ୟକ୍ଷମ ହେଲା କେନ୍ଦ୍ରାପଡ଼ା କୋଭିଡ୍‌-୧୯ ହସ୍ପିଟାଲ୍‌

ଡେରାବିଶ, ୧୩।୪ (ସ୍ବ.ପ୍ର.)-କରୋନା ସଂକ୍ରମିତଙ୍କୁ ସହଜ ଓ ସୁବିଧାରେ ଉପଯୁକ୍ତ ସେବା ଯୋଗାଇ ଦେବା ସକାଶେ ରାଜ୍ୟର କେତେକ ସ୍ଥାନରେ ରାଜ୍ୟ ସରକାର ଅସ୍ଥାୟୀ କୋଭିଡ୍‌-୧୯ ହସ୍ପିଟାଲ ସ୍ଥାପନ କରିଛନ୍ତି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ଛତାସ୍ଥିତ କେନ୍ଦ୍ରାପଡ଼ା ପଲିଟେକ୍‌ନିକ୍‌ କଲେଜ ପରିସରରେ ଏକ ଅସ୍ଥାୟୀ କୋଭିଡ୍‌-୧୯ ହସ୍ପିଟାଲ ଖୋଲାଯାଇଛି। ଜିଲା ପ୍ରଶାସନ ଓ ଭୁବନେଶ୍ୱରସ୍ଥିତ ସମ୍‌ ହସପିଟାଲ୍‌ ମିଳିତ ସହଯୋଗରେ ଖୋଲିଥିବା ଉକ୍ତ ହସ୍ପିଟାଲ ସୋମବାର ଜିଲାପାଳ ସମର୍ଥ ବର୍ମା ଓ ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀ ଓ ସମ୍‌ ହସ୍ପିଟାଲ୍‌ ଡାକ୍ତରଙ୍କ ଉପସ୍ଥିତିରେ କାର୍ଯ୍ୟକ୍ଷମ ହୋଇଛି। ଉକ୍ତ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ରଖାଯାଇଥିବା ବେଳେ ଅଭିଜ୍ଞ ଡାକ୍ତର ଓ ନର୍ସମାନଙ୍କୁ ସଜାଗ ରଖାଯାଇଛି। ଏଠାରେ ୧୧୦ ଶଯ୍ୟା ରଖାଯାଇଥିବା ବେଳେ ୧୦ଟି ଆଇସିୟୁ ବେଡ୍‌ ବ୍ୟବସ୍ଥା କରାଯାଇଛି। ଏହାସହିତ ୫ ଭେଣ୍ଟିଲେଟରର ସୁବିଧା ଯୋଗାଇ ଦିଆଯାଇଛି। ଏତଦ୍‌ବ୍ୟତୀତ ଇକୋ ମେସିନ୍‌, ଅଲଟ୍ରା ସାଉଣ୍ଡ, ମନିଟରର ବ୍ୟବସ୍ଥା କରାଯାଇଛି। କୋଭିଡ୍‌-୧୯ର ପରୀକ୍ଷା ପାଇଁ ଅତ୍ୟାଧୁନିକ ପରୀକ୍ଷାଗାର ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଏଣିକି ଜିଲାରେ କେହି କରୋନା ସଂକ୍ରମିତ ହେଲେ ଉକ୍ତ ମେଡିକାଲରେ ଚିକିତ୍ସିତ ହୋଇପାରିବେ। ଏହାର ଅନତି ଦୂରରେ ଅନ୍ୟ ଏକ ବିଲ୍ଡିଂରେ ୨୬୦ ଶଯ୍ୟା ବିଶିଷ୍ଟ କ୍ୱାରାଣ୍ଟାଇନ୍‌ ଓ ଆଇସୋଲେଶନ୍‌ ସେଣ୍ଟର ଖୋଲାଯାଇଛି। ଏଥିରେ ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଷ୍ଟାଫ୍‌ଙ୍କ ସହିତ ବାହାରୁ ଆସିଥିବା ଡାକ୍ତର ଓ ନର୍ସମାନଙ୍କୁ ନିୟୋଜିତ କରାଯାଇଛି।
ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ପରେ କେନ୍ଦ୍ରାପଡ଼ା ଜିଲାରୁ ୨ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି।