Categories: ଭଦ୍ରକ

କାର୍ଯ୍ୟକ୍ଷମ ହେଉନି ସେବାଶ୍ରମ ଛାତ୍ରାବାସ

ପଦ୍ମପୁର,୨୯।୨(ଡି.ଏନ.ଏ.)-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାହାଡ଼ା ପଞ୍ଚାୟତ ସନନ୍ଦପୁର ଗ୍ରାମରେ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ସେବାଶ୍ରମ ଛାତ୍ରାବାସ। ମାତ୍ର ଛାତ୍ରାବାସ ଏବେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଫଳରେ ଦୂରଦୂରାନ୍ତରୁ ପାଠ ପଢ଼ିବାକୁ ଆସୁଥିବା ଛାତ୍ରୀଛାତ୍ର ହଇରାଣ ହେଉଛନ୍ତି।
ପ୍ରକାଶ ଯେ, ୨୦୦୯ରୁ ଏହି ଛାତ୍ରାବାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୧୬ରେ ସରିଥିଲା। ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରୀଛାତ୍ର ଏଠାରେ ରହି ବିନା ଦେୟରେ ଶିକ୍ଷାଲାଭ କରିବା ପାଇଁ ଉଦ୍ଦିଷ୍ଟ। ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ୮୩ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ୩ଟି ଶ୍ରେଣୀଗୃହ ଥିବାବେଳେ ଗୃହଗୁଡ଼ିକ ଭାଙ୍ଗିରୁଜି ଗଲାଣି। କେଉଁଠି ଛାତରୁ ପାଣି ଗଳୁଛି ତ କେଉଁ ଗୃହର କବାଟ ଝରକା ଭାଙ୍ଗିଯାଇ ଝୁଲୁଛି। ଏଭଳି ସ୍ଥିତିରେ ୨ଟି କୋଠରିରେ ୫ଟି ଶ୍ରେଣୀର ଛାତ୍ରୀଛାତ୍ର ଶିକ୍ଷାଗ୍ରହଣ କରୁଛନ୍ତି। ଛାତ୍ରାବାସ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଦୂରଦୂରାନ୍ତରୁ ଆସି ଛାତ୍ରୀଛାତ୍ର ବିଦ୍ୟାଳୟରେ ପଢ଼ିବାରୁ ବଞ୍ଚତ୍ତ ହେଉଛନ୍ତି। ଏଥିସହ ଛାତ୍ରାବାସ ପାଇଁ ଆସୁଥିବା ସରକାରୀ ଅନୁଦାନ ଉଦ୍ଦିଷ୍ଟ ଛାତ୍ରୀଛାତ୍ରଙ୍କ ପାଇଁ ବିନିଯୋଗ ହୋଇପାରୁ ନାହିଁ। ଫଳରେ ଗରିବ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ରଙ୍କ ଲାଗି ସରକାରୀ ପ୍ରୋତ୍ସାହନ ପ୍ରହସନ ପାଲଟିଛି ବୋଲି କୁହାଯାଉଛି। ଏ ସମ୍ପର୍କରେ ଜିଲା ମଙ୍ଗଳ ଅଧିକାରୀ ଜୟନ୍ତ କୁମାର ଜେନାଙ୍କୁ ପଚାରିବାରୁ କହିଛନ୍ତି ଯେ, ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇପାରି ନ ଥିବା କାରଣରୁ ଛାତ୍ରାବାସ କାର୍ଯ୍ୟକାରୀ ହୋଇପାରୁ ନ ଥିଲା। ଚଳିତବର୍ଷ ପରିଚାଳନା କମିଟି ଗଠନ ସରିଯାଇଛି। ଆସନ୍ତା ଏପ୍ରିଲଠାରୁ ଛାତ୍ରାବାସ କାର୍ଯ୍ୟକ୍ଷମ ହେବା ସହ ଛାତ୍ରୀଛାତ୍ରଙ୍କୁ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।