କାର୍ଯ୍ୟକାରୀ ହେଲା ସଂଶୋଧିତ ଗାଇଡ୍‌ଲାଇନ୍‌:ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରରେ ବଣ୍ଟା ହେଲା ଛତୁଆ

ଭୁବନେଶ୍ୱର, ୨ା୯(ବ୍ୟୁରୋ):ସମନ୍ବିତ ଶିଶୁ ବିକାଶ ଯୋଜନାରେ ରାଜ୍ୟର ପ୍ରତ୍ୟେକ ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁ, ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କୁ ଅତିରିକ୍ତ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଉନ୍ନତମାନର ଛତୁଆ ଯୋଗାଇଦେବା ଉଦ୍ଦେଶ୍ୟରେ ସଂଶୋଧିତ ଗାଇଡ୍‌ ଲାଇନ୍‌ କାର୍ଯ୍ୟକାରୀ ହୋଇଛି। ଏହି କ୍ରମରେ ରବିବାର ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରରେ ଛତୁଆ ବଣ୍ଟନ କରାଯାଇଛି।
ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରତିମାସ ୨୩ ତାରିଖରେ ଛତୁଆ ମିଶ୍ରଣ ଓ ୧ ତାରିଖରେ ବଣ୍ଟନ କରାଯିବ। ମାତୃ କମିଟି ଓ ଯାଞ୍ଚ କମିଟି ସଦସ୍ୟ ଏବଂ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିବାର ନିର୍ଦ୍ଦେଶ ରହିଛି। ତେଣୁ ରବିବାର ଛତୁଆ ବଣ୍ଟନ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ରାଜ୍ୟ ସ୍ତରରୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଜିଲା ଗସ୍ତ କରିଥିଲେ। ବାଲେଶ୍ବର, ବରଗଡ଼ ଓ ଗଜପତି ଜିଲାରେ ଜିଲାପାଳମାନେ ଅଙ୍ଗନଓ୍ବାଡି କେନ୍ଦ୍ରରେ ଉପସ୍ଥିତ ରହି ଛତୁଆ ବଣ୍ଟନ ପ୍ରକ୍ରିୟାକୁ ତଦାରଖ କରିଥିଲେ। ସେହିଭଳି ବିଭିନ୍ନ ଜିଲାର ଜିଲାପାଳ, ଉପଜିଲାପାଳ, ଜିଲା ସମାଜ ମଙ୍ଗଳ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ଆଇସିଡିଏସ୍‌ ସୁପରଭାଇଜର ଉପସ୍ଥିତ ରହି ଛତୁଆ ବଣ୍ଟନ ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ। ୬ ମାସରୁ ୩ ବର୍ଷ ବୟସର ଶିଶୁ, ଗର୍ଭବତୀ ମହିଳା, ପ୍ରସୂତି ମା’ ଏବଂ ୩ରୁ ୬ ବର୍ଷର ଅତିଶୟ ପୁଷ୍ଟିହୀନ ଶିଶୁଙ୍କୁ ଶୁଖିଲା ଖାଦ୍ୟ ଭାବେ ଛତୁଆ, ଲଡୁ, ଅଣ୍ଡା ଆଦି ଯୋଗାଇ ଦିଆଯାଉଛି। ଛତୁଆ ପାଇଁ ଆବଶ୍ୟକ ସାମଗ୍ରୀ ସଂଗ୍ରହଠାରୁ ବଣ୍ଟନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ କରିବା, ଗୁଣାତ୍ମକମାନ ବଜାୟ ରଖିବା ଏବଂ ଏହି ପ୍ରକ୍ରିୟାରେ ସମ୍ପୃକ୍ତ ସମସ୍ତଙ୍କର ଉତ୍ତରଦାୟିତ୍ବତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏକ ନିର୍ଦ୍ଦିଷ୍ଟ ଦିନରେ ଛତୁଆ ମିଶ୍ରଣ ଓ ବଣ୍ଟନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ମତପ୍ରକାଶ କରିଛନ୍ତି।