Categories: କନ୍ଧମାଳ

କାର୍ଯ୍ୟକାରୀ ହେଲା ମନ୍ତ୍ରୀଙ୍କ ନିର୍ଦ୍ଦେଶ: କୁଡିପୁଞ୍ଜା ସେବାଶ୍ରମ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ଫୁଲବାଣୀ ଅଫିସ,୯ା୧୨- କନ୍ଧମାଳ ଜିଲା ଗସ୍ତରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ମାସେ ପୂର୍ବରୁ ଆସି ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ। ଏହି ସମୟରେ ଫୁଲବାଣୀ ବ୍ଲକ ମିଣିଆସ୍ଥିତ କୁଡିପୁଞ୍ଜା ସେବାଶ୍ରମରେ ଅନିୟମିତତା ଦେଖି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା। କାର୍ଯ୍ୟରେ ଅନିୟମିତତା ଅଭିଯୋଗରେ ଜିଲାପାଳ ଡା. ବୃନ୍ଦା ଡିଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନଶିକ୍ଷୟିତ୍ରୀ ପ୍ରମିଳା ପାଣିଗ୍ରାହୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ା ସେ ଏବେ ଫୁଲବାଣୀ ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ହାଜିରା ପକାଇବେ ା ଉପ ଜିଲାପାଳଙ୍କ ବିନା ନିର୍ଦ୍ଦେଶରେ ସେ ହେଡ୍‌କ୍ୱାର୍ଟର ଛାଡି କେଉଁଆଡେ ଯାଇ ପାରିବେ ନାହିଁ। ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଥିବାରୁ ଉକ୍ତ ସେବାଶ୍ରମରେ ମମତାମଞ୍ଜରୀ ସାହୁ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଦାୟିତ୍ୱରେ ରହିବେ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି।
ସୂଚନାଯୋଗ୍ୟ, ମନ୍ତ୍ରୀ ସାରକା କୁଡିପୁଞ୍ଜା ସେବାଶ୍ରମ ପରିଦର୍ଶନରେ ଯାଇଥିବାବେଳେ ପିଲାମାନଙ୍କୁ ତଳେ ବସାଇବା, ମିଥ୍ୟା ଉପସ୍ଥାନ ଆଦି ଦେଖି ବିରକ୍ତି ହୋଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ପାଣିଗ୍ରାହୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବାକୁ ଜିଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।