କାମ ନ କରି ଟଙ୍କା ଉଠାଇବା ମହଙ୍ଗା ପଡ଼ିଲା: ବିଦା ହେଲେ ଜେଇ, ଏସ୍‌ଡିିଓ ନିଲମ୍ବିତ

ବରଗଡ଼ ଅଫିସ୍‌,୯।୬- ବରଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ(ଆରଡି) ବିଭାଗ ଅଧୀନରେ ରହିଥିବା ଭେଡ଼େନ ବ୍ଲକ ଅନ୍ତର୍ଗତ ଦବକା ଏବଂ ବଇପୁର ଛକରୁ ଆଖିଫୁଟା ରାସ୍ତା ପାଇଁ ମଞ୍ଜୁର ଟଙ୍କାକୁ ବିନା କାମରେ ଉଠାଣ ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ଘଟଣାରେ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ (ଜେଇ)ତପନ ଦାଶଙ୍କୁ କାର୍ଯ୍ୟରୁ ବହିଷ୍କୃତ ହୋଇଥିବାବେଳେ ଏସଡ଼ିଓ ଗଗନ ବିହାରୀ ମିଶ୍ରଙ୍କୁ ନିଲମ୍ବିତ କରାଯାଇଛି। ସୂଚନା ଅନୁଯାୟୀ, ଦବକା ଏବଂ ବଇପୁର ଛକରୁ ଆଖିଫୁଟା ୨ଟି ରାସ୍ତା ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨ଲକ୍ଷ ୬୧ହଜାର ଟଙ୍କା ଲେଖାଏ ମଞ୍ଜୁର ହୋଇଥିଲା। ଉକ୍ତ ରାସ୍ତାର ଉଭୟପାର୍ଶ୍ୱରୁ ଘାସଲଟା ସଫା କରିବା ସହିତ ମୋରମ୍‌ ବିଛାଇବା କାମ ରହିଥିଲା। ତେବେ ଏହି ଦୁଇଟି ରାସ୍ତାରେ କିଛି କାମ ହୋଇ ନଥିଲେ ସୁଦ୍ଧା ବିଭାଗୀୟ ଯନ୍ତ୍ରୀ ଓ ସମ୍ପୃକ୍ତ ଠିକାଦାର ସଲାସୁତୁରା କରି ସମୁଦାୟ ମଞ୍ଜୁର ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବିଭାଗୀୟ ତଦନ୍ତ ହୋଇଥିଲା ଏବଂ ତଦନ୍ତରୁ ସେହି ଅନିୟମିତତା ପଦାକୁ ଆସିଥିଲା। ତେବେ ଏହି ଅନିୟମିତତା ଘଟଣାକୁ ନେଇ ଏ ପର୍ଯ୍ୟନ୍ତ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠନ ହୋଇ ନଥିବା ଏଠାରେ ଚର୍ଚ୍ଚାରେ ବିଷୟ ହୋଇଛି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ମିଶ୍ରଙ୍କୁ ପଚାରିବାରୁ କନିଷ୍ଠ ଯନ୍ତ୍ରୀ ବହିଷ୍କୃତ ଏବଂ ଏସଡ଼ିଓ ନିଲମ୍ବିତ ହୋଇଛନ୍ତି। ସମ୍ପୃକ୍ତ ଠିକାଦାରଙ୍କ ଉପରେ ସରକାର ଯାହା କିଛି ନିଷ୍ପତ୍ତି ନେବେ ବୋଲି ସେ ପ୍ରକାଶ କରିଥିଲେ। ଏହି ଘଟଣାରେ ଜଣେ ବିଭାଗୀୟ ଡ୍ରାଇଭରଙ୍କ ସମ୍ପୃକ୍ତି ଥିବା ଆଲୋଚନା ହେବା ପରେ ତାଙ୍କୁ ପୂର୍ବରୁ ଅନ୍ୟତ୍ର ବଦଳି ହୋଇ ସାରିଛି।