କାମରେ ଲାଗୁନି ଚେକ୍‌ଡ୍ୟାମ୍‌ : ଲୋକଙ୍କ ଅଭିଯୋଗ ଶୁଣୁନି ବିଭାଗ

କପ୍ତିପଦା,୨୮ା୭(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ଜେ.ଏସ୍‌. ଜାମୁଡିହା ପଞ୍ଚାୟତର କେତେକ ଗ୍ରାମ ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଅବସ୍ଥିତ। ଏଠାରେ ବସବାସ କରୁଥିବା ଆଦିବାସୀଙ୍କର ଶହ ଶହ ଏକର ପାହାଡ଼ିଆ ଉଚ୍ଚ ଜମି ରହିଛି । ଏହି ଅଞ୍ଚଳରେ ବର୍ଷାଜଳକୁ ଧରି ରଖି ଚାଷକାର୍ଯ୍ୟରେ ବିନିଯୋଗ କରିବା ଲାଗି ୨୦୧୫-୧୬ ଆର୍ଥିକବର୍ଷରେ ଜାମୁଡିହା ପଞ୍ଚାୟତର କଣ୍ଟିିଆଳି ଗ୍ରାମରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଶିମିଳିପାଳରୁ ବାହାରିଥିବା ଠକ୍‌ଠକି ନଦୀ ଉପରେ ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚେକ୍‌ ଡ୍ୟାମ୍‌ ନିର୍ମାଣ କରାଯାଇଥିଲା। ପ୍ରକଳ୍ପ ନିର୍ମାଣ ସମୟରେ ସ୍ଥାନୀୟ ଚାଷୀଙ୍କ ପରାମର୍ଶକୁ ଅଣଦେଖା କରି ସ୍ଥାନ ନିରୂପଣ କରାଯାଇଥିବାରୁ ସବୁ ଚାଷଜମିକୁ ପାଣି ମାଡ଼ିପାରୁ ନାହିଁ। ଏ ନେଇ ସ୍ଥାନୀୟ ଚାଷୀ ବାରମ୍ବାର ଅଭିଯୋଗ କରିବା ପରେ ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟରେ ଚେକ୍‌ ଡ୍ୟାମ୍‌ର ନବୀକରଣ କରାଯାଇଥଲା। କିନ୍ତୁ ନିର୍ମାଣଗତ ତ୍ରୁଟି ଯୋଗୁ ପ୍ରକଳ୍ପ ପାର୍ଶ୍ୱବର୍ତ୍ତୀ ଚାଷଜମିକୁ ପାଣି ମାଡୁ ନ ଥିବା ଚାଷୀ ପ୍ରଦୀପ କୁମାର ନାଏକ, ଭଗୀରଥ ନାଏକ ଓ ଜଗନ୍ନାଥ ପାଳବାବୁ ପ୍ରମୁଖ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ, ପ୍ରକଳ୍ପ ନିର୍ମାଣ କାମ ନିମ୍ନମାନର ହେବା ସମ୍ପର୍କରେ ଜିଲାପାଳ, ଭିଜିଲାନ୍ସ ଓ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ୨୦୧୮ ଖରିଫ୍‌ ଚାଷ ସମୟରେ ଦୁଇଥର ଲିଖିତ ଅଭିଯୋଗ କରିଥିଲେ । ଏଯାଏ ଏହାର ତଦନ୍ତ କି ଅନୁସନ୍ଧାନ କରାଯାଇ ନାହିଁ। ଚେକ୍‌ଡ୍ୟାମ୍‌ର ଢଳେଇ ୱାଲରେ ସ୍ଥାନେ ସ୍ଥାନେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ଡ୍ୟାମ୍‌ରୁ ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ ପରେ ଯେଉଁ କେନାଲ ମାଧ୍ୟମରେ ପାଣି ଚାଷଜମିରେ ପହଞ୍ଚିବାର ବ୍ୟବସ୍ଥା କରାଯାଇଛି ତାହା ଅସମ୍ପୂର୍ଣ୍ଣ ରହିଛି ା ଚଳିତ ବର୍ଷ କମ୍‌ ବୃଷ୍ଟିପାତକୁ ନେଇ ଚାଷୀଙ୍କ ଚିନ୍ତାବଢ଼ାଇଛି। ଚେକ୍‌ ଡ୍ୟାମ୍‌ ଉପରକୁ ରହିଯାଇଥିବା ଜମିସବୁ ଏଥର ପଡ଼ିିଆ ପଡ଼ିିବା ଆଶଙ୍କା ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ସେହି ଜମିରେ ତଳି ପକା କାମ ହୋଇପାରି ନାହିଁ ବୋଲି ଚାଷୀ ନିର ପାତ୍ର ଓ ପଞ୍ଚାନନ ବିଶ୍ୱାଳ ପ୍ରମୁଖ କହିଛନ୍ତି। ଚାଷୀଙ୍କ ଅଭିଯୋଗ ସମ୍ପର୍କରେ ଜଣେ ଅଧିକାରୀଙ୍କୁ ପଚାରିବାରୁ ପ୍ରକଳ୍ପ ନିର୍ମାଣ କାମର ତଦାରଖ କରାଯାଉଛି ବୋଲି କହିଛନ୍ତି।