କାମରେ ଆସୁନି ପାନୀୟଜଳ ପ୍ରକଳ୍ପ

ବାହାନଗା, ୪ା୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ଔପଦା ବ୍ଲକର ଚଷାଖଣ୍ଡ ପଞ୍ଚାୟତରେ ଥିବା ପାନୀୟଜଳ ପ୍ରକଳ୍ପ ଲୋକଙ୍କ କାମରେ ଆସୁନି। ୧୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ବର୍ଷେ ହେଲା ବନ୍ଦ ହୋଇପଡିଛି। ଫଳରେ ପଞ୍ଚାୟତବାସୀ ଶୁଦ୍ଧ ପାନୀୟଜଳ ପାଇବାରୁ ବଞ୍ଚିତ ରହିଛନ୍ତି। ଏ ଦିଗରେ ତୁରନ୍ତ ଦୃଷ୍ଟି ଦିଆ ନ ଗଲେ ଜିଲାପାଳଙ୍କ ଅଫିସ୍‌ ଘେରାଉ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଚଷାଖଣ୍ଡ-୧, ୨, ବାଇଗଢିଆ, ହଳଦିଆ ପାଟଣା, ସାମରାଇପୁର, ଜେନା ସାହି ଆଦି ୬ଟି ଗ୍ରାମ ସହିତ ବାହାନଗା ବ୍ଲକର ପଦାଗାଁ ଆଦି ଗ୍ରାମକୁ ବସୁଧା ଯୋଜନାରେ ପାଣି ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ୨୦୧୭-୧୮ରେ ଚଷାଖଣ୍ଡ ଗ୍ରାମରେ ଏକ ଭୂତଳ ବୋରିଂ କରାଯାଇ ଓଭରହେଡ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା। ପ୍ରଥମେ କିଛି ସ୍ଥାନକୁ ପାଣି ଯୋଗାଇ ଦିଆଯାଉଥିଲା। ହେଲେ କେତେକ ଜାଗାରେ ପାଇପ୍‌ ଫାଟିଯାଇଥିବାରୁ ଗୋଳିଆ ଓ କାଦୁଅ ମିଶା ପାଣି ଆସୁଥିବାରୁ ଲୋକେ ଏନେଇ ଅଭିଯୋଗ କରିଥିଲେ। ତାହା ପରଠାରୁ ପାଣି ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ପାଇପ୍‌ ଲାଇନ୍‌ ମରାମତି କରି ଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ଗ୍ରାମବାସୀ ବାରମ୍ବାର ସୋରସ୍ଥିତ ପାନୀୟଜଳ ବିଭାଗର ଏସ୍‌ଡିଓ ରୌପ୍ୟ ରଞ୍ଜନ ବେହେରାଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ କରାଯାଉନାହିଁ। ଏ ବିଷୟରେ ଗ୍ରାମବାସୀ ୨୦୧୮ ଡିସେମ୍ବରରେ ପୂର୍ବତନ ବିଭାଗୀୟ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝିଙ୍କୁ ଜଣାଇଥିଲେ। ଅଭିଯୋଗ ପାଇ ପୂର୍ବତନ ମନ୍ତ୍ରୀ ମାଝି ତୁରନ୍ତ ଚଷାଖଣ୍ଡ ପଞ୍ଚାୟତର ପାନୀୟଜଳ ସୁବ୍ୟବସ୍ଥା କରିବା ସହ ପାଇପଲାଇନ୍‌ ବିଛାଇବା ଓ ପମ୍ପ ହାଉସ୍‌ ମରାମତି ଆଦି କରିବା ନିମନ୍ତେ ଜିଲା କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଦ୍ୟାବଧି ତାହା କାର୍ଯ୍ୟକାରୀ ହେଲାନାହିଁ । ସେହିପରି ଗ୍ରାମବାସୀ ବାଲେଶ୍ୱର ଜିଲାପାଳଙ୍କୁ ପାନୀୟଜଳ ସୁବ୍ୟବସ୍ଥା ପାଇଁ ଗତ ତା୨୧ା୯ା୨୦୧୯ରିଖରେ ଅଭିଯୋଗ କରିଥିଲେ ମଧ୍ୟ ଜିଲାପାଳ ଗ୍ରାମବାସୀଙ୍କ କଥାକୁ ଗୁରୁତ୍ୱ ନ ଦେବା ପରିତାପର ବିଷୟ । ଫଳରେ ୬ ଖଣ୍ଡ ଗ୍ରାମର ଲୋକେ ଶୁଦ୍ଧ ପାନୀୟ ଜଳ ନ ପାଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଆଗାମୀ ଦିନରେ ପାଣି ଯୋଗାଇ ନ ଦେଲେ ଗ୍ରାମର ବିଭୁଧର ଧାମୁଡିଆ, ବେଣୁଧର ବାରିକ୍‌, ନଗେନ୍ଦ୍ର ପ୍ରଧାନ, ଅମର ସିଂହ, କାହ୍ନୁ ସିଂହ, ଦିଲୀପ କୁମାର ଯେନା, ନାରାୟଣ ପାତ୍ର, ଅକ୍ଷୟ ପାତ୍ର, ସ୍ମୃତିରଞ୍ଜନ ପ୍ରଧାନ, ଅଜୟ ପାତ୍ର, ସଞ୍ଜୟ କୁମାର ସାହୁ, କବିତା ପଣ୍ଡା, ସଞ୍ଜୀବ ପ୍ରଧାନ, ସୌମ୍ୟଜିତ୍‌ ଦାସ ଜିଲାପାଳଙ୍କ ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ।