Categories: ମେଟ୍ରୋ

କାନ୍‌ସରେ ସ୍ବପ୍ନା ପତିଙ୍କ ‘ଅନ୍ତର୍ଧ୍ୱନି’ : ରେଡ୍‌ କାର୍ପେଟରେ ପୁଣି ଝଲସିଲା ସମ୍ବଲପୁରୀ ଶାଢ଼ି

ଭୁବନେଶ୍ୱର,୩୦ା୫(ବ୍ୟୁରୋ)- ଚଳିତବର୍ଷର କାନ୍‌ସ ଫିଲ୍ମ ଫେଷ୍ଟିଭାଲ ସହ ଯୋଡ଼ି ହୋଇଯାଇଛି ଆଉ ଏକ ଓଡ଼ିଆ ଲିଙ୍କ୍‌। ଓଡ଼ିଶା ଜନ୍ମିତ ଅଭିନେତ୍ରୀ ତଥା ମଡେଲ ସ୍ବପ୍ନା ପତିଙ୍କ ଅଭିନୀତ ଏବଂ ରାଜେଶ କୁମାର ମହାନ୍ତିଙ୍କ ପ୍ରଯୋଜିତ ହିନ୍ଦୀ ଫିଲ୍ମ ‘ଅନ୍ତର୍ଧ୍ୱନି’ ସମ୍ମାନଜନକ କାନ୍‌ସ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଛି। କେବଳ ଏତିକି ନୁହେଁ, ଫିଲ୍ମରେ ସ୍ବପ୍ନାଙ୍କ ଅଭିନୟ ସହ ଏହାର କନ୍‌ସେପ୍ଟକୁ କାନ୍‌ସରେ ଯୋଗଦେଇଥିବା ବହୁ ବରିଷ୍ଠ ବ୍ୟକ୍ତିତ୍ୱ ପ୍ରଶଂସା କରିଛନ୍ତି। ୯ଥର ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ପଦ୍ମଶ୍ରୀ ଅପୂର୍ବ କିଶୋର ବୀର୍‌ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ ପ୍ରମୁଖ ଭୂମିକାରେ ସ୍ବପ୍ନାଙ୍କ ସମେତ ଗୌରବ ପାଶ୍ୱାଲା, ଚୈତନ୍ୟ ସୋଲାନକର, ତୁଷାର ଆଚାର୍ଯ୍ୟ, ଜିତେନ୍ଦ୍ର କୁମାର ଜେନା ପ୍ରମୁଖ ଅଭିନୟ କରିଛନ୍ତି। ଓଡ଼ିଶା ଜନ୍ମିତ ରାଜେଶ କୁମାର ମହାନ୍ତି ଫିଲ୍ମ ପ୍ରଯୋଜନା କରିଛନ୍ତି। ଏହି ସାଇକୋଲୋଜିକାଲ ଥ୍ରୀଲର୍‌ ଫିଚର ଫିଲ୍ମ ସମ୍ପୂର୍ଣ୍ଣଭାବେ ପ୍ରାକୃତିକ ଲାଇଟ୍‌ରେ ଶୁଟିଂ କରାଯାଇଛି। ଜଙ୍ଗଲ ଏବଂ ଏହାର ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ ଫିଲ୍ମର ମୁଖ୍ୟ ଉପାଦାନ ହୋଇଥିବାବେଳେ ଏହା ଓଡ଼ିଶା, ଉତ୍ତରାଖଣ୍ଡ ଏବଂ ମୁମ୍ବାଇରେ ଶୁଟିଂ ହୋଇଛି। ଅନ୍ୟପକ୍ଷରେ କାନ୍‌ସରେ ଫିଲ୍ମର ସ୍କ୍ରିନିଂରେ ଭାଗନେବାକୁ ଯାଇଥିବା ନିର୍ଦ୍ଦେଶକ ଏ.କେ. ବୀର୍‌ଙ୍କ ସହ ଅଭିନେତ୍ରୀ ସ୍ବପ୍ନା ପତି ଓ ପ୍ରଯୋଜକ ରାଜେଶ କୁମାର ମହାନ୍ତି କାନ୍‌ସ ରେଡ୍‌ କାର୍ପେଟ୍‌ରେ ଚାଲିଥିଲେ। ଏହି ଅବସରରେ ସ୍ବପ୍ନା ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ସମ୍ବଲପୁରୀ ଶାଢି ପିନ୍ଧି ର଼୍ୟାମ୍ପ୍‌ରେ ଚାଲିବା ମୁଖ୍ୟ ଆକର୍ଷଣ ସାଜିଥିଲା। ପୂର୍ବରୁ ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଯୋଜକ ଜିତେନ୍ଦ୍ର ମିଶ୍ର ମଧ୍ୟ କାନ୍‌ସ ରେଡ୍‌ କାର୍ପେଟରେ ସମ୍ବଲପୁରୀ ଜ୍ୟାକେଟ୍‌ରେ ନଜର ଆସିଥିଲେ। ଚଳିତବର୍ଷ କାନ୍‌ସରେ ଓଡ଼ିଶା ସହ ଜଡ଼ିତ ଥିବା ଏକାଧିକ ଫିଲ୍ମ ପ୍ରଦର୍ଶିତ ହୋଇଥିବାବେଳେ ଏଠାରେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତର ଝଲକ ନୂଆ ଗୌରବ ଆଣିଥିଲା।