Categories: ମେଟ୍ରୋ

କାନ୍‌ସରେ ଉନ୍ମୋଚିତ ହେଲା ‘ଜଙ୍ଗଲ କ୍ରାଏ’ର ପୋଷ୍ଟର : ଟିଜର୍‌ ଫିଲ୍ମରେ ବିଶ୍ୱବିଜେତା ଓଡ଼ିଶା ଜନଜାତି ଟିମ୍‌

ଭୁବନେଶ୍ୱର,୨୦।୫(ବ୍ୟୁରୋ): ଜୁନିୟର ରଗ୍‌ବୀ ଓ୍ବାର୍ଲଡ କପ୍‌ ଜିତି ସମଗ୍ର ବିଶ୍ୱ ପାଇଁ ପ୍ରେରଣା ପାଲଟିଥିବା କିସ୍‌ ରଗ୍‌ବୀ ଦଳ ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ‘ଜଙ୍ଗଲ କ୍ରାଏ’ର ପ୍ରଥମ ପୋଷ୍ଟର ଓ ଟିଜର୍‌ ୭୧ତମ କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ରିଲିଜ ହୋଇଛି। ଶୁକ୍ରବାର ରିଲିଜ ହୋଇଥିବା ଏହି ଟିଜରରେ କିସ୍‌ ଜନଜାତି ଛାତ୍ରୀଛାତ୍ରଙ୍କ କ୍ରୀଡ଼ା ପ୍ରତି ରହିଥିବା ଭଲପାଇବା ଓ ଏକାଗ୍ରତାକୁ ଦେଖିବାକୁ ମିଳିଛି। ଏହାସହ ଦଳର କୋଚ୍‌ ରୁଦ୍ରକେଶ ଜେନାଙ୍କୁ ଏଥିରେ ମୁଖ୍ୟ ଚରିତ୍ର ଭାବେ ଦର୍ଶାଯାଇଛି। ୨୦୦୭ ମସିହାରେ ଏକ ଚ୍ୟାଲେଞ୍ଜ ନେଇ କିସ୍‌ରେ ପଢ଼ୁଥିବା ୧୩ବର୍ଷରୁ କମ୍‌ ବୟସର ଜନଜାତି ପିଲାମାନଙ୍କୁ ରଗ୍‌ବୀ ଖେଳିବା ପାଇଁ ଲଣ୍ଡନ ପଠାଯାଇଥିଲା। ଆଉ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ପିଲାମାନେ କୋଚ୍‌ଙ୍କ ନେତୃତ୍ୱରେ ଲଣ୍ଡନରେ ରଗ୍‌ବୀ ବିଶ୍ୱ ଚାମ୍ପିୟନ ହୋଇଥିଲେ। ଏହାକୁ ଆଧାରକରି ବଲିଉଡ୍‌ ଓ ହଲିଉଡ୍‌ର ଚଳଚ୍ଚିତ୍ର ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ଦ୍ୱାରା ‘ଜଙ୍ଗଲ କ୍ରାଏ’ ନିର୍ମାଣ କରାଯାଇଛି। ଜନଜାତି ପିଲାମାନଙ୍କ ମାଧ୍ୟମରେ କିଭଳି ରଗ୍‌ବୀକୁ ପ୍ରୋତ୍ସାହନ ଦେଇ ବିଶ୍ୱ ଦରବାରରେ ପହଞ୍ଚାଯାଇ ପାରିଛି, ତାହା ହେଉଛି ଏହି ଚଳଚ୍ଚିତ୍ରର ବିଶେଷତ୍ୱ।
ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର କୋଚ୍‌ ରୁଦ୍ରକେଶ ଜେନାଙ୍କ ଭୂମିକାରେ ଅଭିନୟ କରିଛନ୍ତି ଲୋକପ୍ରିୟ ବଲିଉଡ୍‌ ଅଭିନେତା ଅଭୟ ଦଓ୍ବେଲ୍‌। ତାଙ୍କ ବିପକ୍ଷରେ ରହିଛନ୍ତି ଅଭିନେତ୍ରୀ ଏମ୍‌ଲି ଶାହା। କିସ୍‌ର ରଗ୍‌ବୀ ଖେଳାଳି ମଧ୍ୟ ଏଥିରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। ଫିଲ୍ମର ନିର୍ଦ୍ଦେଶନା ହିନ୍ଦୀ ଫିଲ୍ମ ‘ଭେଜା ଫ୍ରାଏ’ର ନିର୍ଦ୍ଦେଶକ ସାଗର ବଲାରି ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ସବିର ବକ୍‌ସଓ୍ବାଲା ଓ ପ୍ରଶାନ୍ତ ଶାହା। କାହାଣୀ ଲେଖିଛନ୍ତି ଲେଖକ ଦୀପଙ୍କର ଗିରି। ଫିଲ୍ମର ୮୦ ପ୍ରତିଶତ ଓଡ଼ିଶାରେ ଶୁଟିଂ ହୋଇଥିବା ବେଳେ ଲଣ୍ଡନ ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଶୁଟିଂ କରାଯାଇଛି। ୨୦ ତାରିଖ ଅର୍ଥାତ୍‌ ସୋମବାର ‘ଜଙ୍ଗଲ କ୍ରାଏ’ର ପୋଷ୍ଟର ଓ ଟିଜର୍‌ ହାଉସ୍‌ ଅଫ୍‌ ଲର୍ଡ୍‌ସରେ ଉନ୍ମୋଚନ ହେବ। ଆସନ୍ତା ସେପ୍ଟେମ୍ବରରେ ଏହି ଚଳଚ୍ଚିତ୍ର ରିଲିଜ୍‌ ହେବ। ଏହାପୂର୍ବରୁ ଏହାକୁ ବିଭିନ୍ନ ଅନ୍ତର୍ଜାତୀୟ ସ୍ତରୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ କରାଯିବ।