କାନ୍ଧ ବୋହୁଛି କୁକୁର

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କଳ କାରଖାନା ବନ୍ଦ ହୋଇଯିବା ପରେ ଭୋକର ଦାଉ ସମ୍ଭାଳି ନ ପାରି ସମସ୍ତେ ଘରମୁହାଁ ହେବାରେ ଲାଗିଛନ୍ତି। ଗାଡ଼ିମୋଟର ସୁବିଧା ନ ଥିବାରୁ ପିଲାଛୁଆ ଓ ଅତ୍ୟାବଶ୍ୟକ ସାମଗ୍ରୀ ଧରି ପ୍ରବାସୀ ଶ୍ରମିକମାନେ ଶହ ଶହ କିଲୋମିଟର ରାସ୍ତା ଅତିକ୍ରମ କରୁଛନ୍ତି। ଆଖିର ଲୁହ ଓ ଛାତିର କୋହ ଅସମ୍ଭାଳ ହେଉଥିଲେ ବି ଆଉକିଛି ଚାରା ନାହିଁ। ତଥାପି ବଞ୍ଚିବାକୁ ହେବ ଭାବି ସେମାନେ ଅସମ୍ଭବକୁ ଆଦରି ନେବାକୁ ବାଧ୍ୟ ହେଉଛନ୍ତି। ଏଭଳି ପ୍ରବାସୀ ଶ୍ରମିକ ସମସ୍ୟାକୁ ନେଇ ଇଣ୍ଟରନେଟ୍‌ରେ ଜଣେ ବୟସ୍କ ମହିଳାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ମହିଳାଙ୍କ ବୟସ ପାଖାପାଖି ୬୫ ହେବ। ମୁଣ୍ଡରେ ନିଜର ଅତ୍ୟାବଶ୍ୟକ ଜିନିଷ ଗଣ୍ଠିଲି ଧରି ସେ ଚାଲିଚାଲି ଯାଉଛନ୍ତି। ତାଙ୍କ ସହ ରହୁଥିବା ଅସମୟର ସାଥୀ ଛୋଟ ପୋଷା କୁକରକୁ ମଧ୍ୟ ବୋଝ ଉପରେ ବୋହିନେବାକୁ ସେ ଭୁଲିନାହାନ୍ତି। ସତେ ଯେମିତି କୁକୁରଟି ତାଙ୍କ ଜୀବନ ସେଇଭଳି ମନେହେଉଛି। ଜଣେ ଟୁଇଟର ୟୁଜର ଏଭଳି ଫଟୋକୁ ଶେୟାର କରି ଗତ ଦୁଇଦିନ ହେବ ମହିଳା ଜଣକ ଏଭଳି ଅହରହ ଚାଲୁଥିବା ଲେଖିଛନ୍ତି। ଅଖିଆ ଅପିଆ ଥିଲେ ବି କୁକର କଥା ସେ ବୁଝୁଛନ୍ତି। ଏହି ଫଟୋକୁ ଏବେସୁଦ୍ଧା ୨.୮ ହଜାର ଲାଇକ୍‌ ମିଳିସାରିଛି। ୧ ହଜାରରୁ ଅଧିକ ରିଟୁଇଟ୍‌ କରିଛନ୍ତି। ଅନେକ ଲୋକ ମହିଳାଙ୍କୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି। ଅସମୟରେ ମଣିଷ ମଣିଷକୁ ଭୁଲିଯାଉଥିବା ବେଳେ ଏକ ଛୋଟ ପୋଷା କୁକୁର ପ୍ରତି ଏଇ ମହିଳାଙ୍କ ଅନାବିଳ ଭଲପାଇବା ଏକ ଉଦାହରଣ ସୃଷ୍ଟିକରିଛି। ଏଇ ତ ପ୍ରେମ। ଲକ୍‌ଡାଉନ୍‌ ସମୟରେ ନିଜର ଅତି ପ୍ରିୟଙ୍କୁ କେହି ଭୁଲିଯିବ ବା କେମିତି।

Share