କାନ୍ଥପଡ଼ି ନାବାଳିକାଙ୍କ ଜୀବନଗଲା, ୨ ଗୁରୁତର

ବାହାନଗା,୨୬।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତ ମଳଙ୍ଗ ଗ୍ରାମର ସଞ୍ଜୟ ନାୟକଙ୍କ ଘର ମାଟି କାନ୍ଥ ଓ ଆଟୁ ଭାଙ୍ଗିଯିବାରୁ ନାବାଳିକାଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ, ବୁଧବାର ରାତିରେ ଘର ଭିତରେ ସଞ୍ଜୟଙ୍କ ମା’ ସୁଭାସିନୀ, ଝିଅ ଟ୍ବିଙ୍କିଲ୍‌(୧୧) ଏବଂ ଭାଣିଜୀ ଶୁଭଲକ୍ଷ୍ମୀ ପଣ୍ଡା(୧୦) ଶୋଇଥିଲେ। ହଠାତ୍‌ ରାତିରେ ଘରର ମାଟି କାନ୍ଥ ଓ ଆଟୁ ଭାଙ୍ଗି ଟ୍ବିଙ୍କିଲ୍‌ଙ୍କ ଉପରେ ପଡ଼ିଥିଲା। ଏହା ସହିତ ଜେଜେମା ଓ ଭଉଣୀ ଶୁଭଲକ୍ଷ୍ମୀଙ୍କ ଗୋଡ଼ ଉପରେ ପଡ଼ିଥିଲା। ସମସ୍ତଙ୍କୁ ଉଦ୍ଧାର କରାଯାଇ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଟ୍ବିଙ୍କିଲ୍‌ଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।