କାନଝରି ଡ୍ୟାମରେ ଭାସୁଛି ମଲା କୁକୁଡା

କେନ୍ଦୁଝର, ୯ା୩(ସ୍ବ.ପ୍ର.)-କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାନଝରି ଡ୍ୟାମରେ ବସ୍ତାରେ ବନ୍ଧା ହୋଇଥିବା ବହୁ ସଂଖ୍ୟାରେ ମଲା କୁକୁଡ଼ା ଭାସୁଥିବା ଦେଖିବାକୁ ମିଳିଛି। ସୋମବାର ଆଖପାଖ ଅଞ୍ଚଳରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକ ଏହା ଜାଣିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ଡ୍ୟାମରୁ କେନ୍ଦୁଝର ସହରକୁ ପାନୀୟ ଜଳ ଯୋଗାଣ ହୋଇଥାଏ। ଏଣୁ ଦୂଷିତ ପାଣିକୁ ନେଇ ସହରବାସୀ ଚିନ୍ତାରେ ରହିଛନ୍ତି। ସେହିପରି ଏହି ପାଣି ଉପରେ ଆଖପାଖ ୪ରୁ ୫ ପଞ୍ଚାୟତର ଲୋକ ର୍ନିଭର କରିଥାନ୍ତି। ସେହିପରି ପର୍ଯ୍ୟଟକ ବହୁ ସଂଖ୍ୟାରେ ଆସି ଭୋଜିଭାତ କରିଥାନ୍ତି। ମଙ୍ଗଳବାର ହୋଲି ଥିବାରୁ ବହୁ ଲୋକ ପୂର୍ବବର୍ଷ ଭଳି ସେଠାକୁ ଯାଇ ଗାଧୁଆ ପାଧୁଆ କରିବା ସହ ଭୋଜିଭାତ କରିବେ। ଏହାଦ୍ୱାରା ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି। ଯଦିଓ ପାଣିକୁ ବିଶୋଧନାଗାରରେ ବିଶୋଧନ କରି ଯୋଗାଣ ହେଉଛି ଏଣୁ ସମସ୍ୟା ନାହିଁ ବୋଲି କୁହାଯାଉଥିଲେ ହେଁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ସଂଶୟ ସୃଷ୍ଟି କରୁଛି। ଅନେକ ପାଣି ବ୍ୟବହାର କରୁ ନାହାନ୍ତି ଓ କେତେକ ପାଣି ଫୁଟାଇ ବ୍ୟବହାର କରୁଥିବା ଜଣାପଡିଛି। ତେବେ ଏତେ ସଂଖ୍ୟାରେ ମଲା କୁକୁଡା କେଉଁଠୁ ଆସିଲା କିଏ ପକାଇଲା ତାହା ଜଣାପଡିନାହିଁ। ବାର୍ଡ ଫ୍ଲୁ କୁ ନେଇ ରାଜ୍ୟରେ କୁକୁଡ଼ା ମରା ଅଭିଯାନ ଚାଲିଥିବା ବେଳେ ଏହି କୁକୁଡ଼ା କିପରି ମଲା ତାହା ଯାଞ୍ଚ ସାପେକ୍ଷ । କୁକୁଡ଼ା ସବୁ ପଚିଯାଇଥିବା ବେଳେ ଦୁର୍ଗନ୍ଧ ହେଉଥିବାରୁ ପରିବେଶ ପ୍ରଦୂଷଣ ହେଉଥିବାରୁ ଆପତଃକାଳୀନ ପଦକ୍ଷେପ ନେବାକୁ ଦାବି ହେଉଛି।