କାଠଗଡ଼ାରେ କୁକୁଡ଼ା

ତୁଳସୀଦାସ ମିଶ୍ର

ଗତ ଦଶହରା ସମୟରେ ଅଭିଯୋଗକାରୀଙ୍କୁ ସେବାର ପ୍ରତିଦାନରେ ଜଣେ ପୋଲିସ ବାବୁ କୁକୁଡ଼ା ଏବଂ ଅଣ୍ଡା ଦେବାକୁ କହିବାରୁ ତାଙ୍କ ମୁଣ୍ଡରେ ଖଣ୍ଡା ଖସିଛି। ତାଙ୍କ ଉପରିସ୍ଥ ଅଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି। ଏ ଖବର ଶୁଣି ଏବଂ ପଢ଼ି କିଛି ଲୋକ ପ୍ରତିକ୍ରିୟା ରଖିଲେ ଯେ, ପୋଲିସ ବାବୁ ଜଣକ ତାଙ୍କ ଧର୍ମ ପାଳନ କଲେ ନାହିଁ, ତେଣୁ ତାଙ୍କର ଏଇ ଦଶା ହେଲା। ତେବେ ଧର୍ମର ବ୍ୟାଖ୍ୟା କରିବାକୁ ଯାଇ ସେମାନେ ଶାନ୍ତି ପ୍ରତିଷ୍ଠା ଏବଂ ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କଥା କହିଲେନି। ବରଂ ଓଡ଼ିଶାର ଘରେ ଘରେ ବ୍ୟବହୃତ ପୁରୁଣା ଢଗଟେ ଦୋହରେଇଲେ- ‘ମାଛ ଖାଇବ ଇଲିଶି, ଚାକିରି କରିବ ପୋଲିସ।’
ଇଲିଶି ମାଛ ଯେମିତି ତା’ର ନିଆରା ସ୍ବାଦ ପାଇଁ ବିଖ୍ୟାତ, ପୋଲିସ ଚାକିରି ସେମିତି ତା’ର ପତିଆରା ପାଇଁ ପ୍ରଖ୍ୟାତ। ଆଉ ଏକ ଦୃଷ୍ଟିକୋଣରୁ ଇଲିଶି ଦୁଷ୍ପ୍ରାପ୍ୟ ଏବଂ ଦୁର୍ମୂଲ୍ୟ ହୋଇଥିବାରୁ ତାକୁ ଏକନଳୀ ଆୟୁଧ ଧରି ଦୁଇନଳାରେ ଉପାର୍ଜନ କରୁଥିବା ପୋଲିସବାବୁମାନେ ହିଁ ସହଜରେ ସେବନ କରିପାରିବେ। ଅନ୍ୟମାନଙ୍କ ପାଇଁ ଇଲିଶି ଆକାଶ କଇଁଆ ଚିଲିକା ମାଛ ପରି ଦୁର୍ଲ୍ଲଭ। କିନ୍ତୁ ଏଇ ପୋଲିସ ବାବୁ ଜଣକ ଇଲିଶିର ହକ୍‌ଦାର ହୋଇ ମଧ୍ୟ ଯେହେତୁ ଅଣ୍ଡା, କୁକୁଡ଼ା ସ୍ତରକୁ ଖସିଆସିଲେ ଏବଂ ପୋଲିସ ପଦବୀର ଗରିମା କ୍ଷୁଣ୍ଣ କଲେ, ତେଣୁ ତାଙ୍କର କ୍ଷୁବ୍ଧ ଉପରିସ୍ଥ ତାଙ୍କୁ ଦଣ୍ଡିତ କଲେ।
ଏତେସବୁ ଯୁକ୍ତିର ବାତଚକ୍ରରେ ଫସିଥିବା ବିଚରା ଶ୍ରୋତାଙ୍କୁ ପ୍ରତେ ହେଲା, ସେ ଯେମିତି ପାଣିପାଗ ବିଭାଗ ପ୍ରାଙ୍ଗଣରେ ବାୟୁର ଦିଗ ନିର୍ଣ୍ଣୟ ଯନ୍ତ୍ର ଉପରେ ଖଞ୍ଜା ହୋଇଥିବା ଗଞ୍ଜା। ସମସ୍ତେ ଧାପେ ଧାପେ ପବନ ମାରି ତା’ ମୁହଁକୁ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ପଟେ କରି ଚାଲିଛନ୍ତି।
କୁକୁଡ଼ା ଏବଂ ଅଣ୍ଡା ପାଇଁ କେବଳ ପୋଲିସ ବାବୁମାନେ ନୁହନ୍ତି ଶିକ୍ଷକମାନେ ମଧ୍ୟ ବେଶ୍‌ ହଇରାଣ ହେଉଛନ୍ତି। ଯେଉଁଦିନୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଯୋଡ଼ା ହେଲା, ସେଇଦିନଠୁ ଭାବନ୍ତୁ ଶିକ୍ଷକଙ୍କ ବୋଝ ଉପରେ ନଳିତାବିଡ଼ା ପଡ଼ିଲା। କିଛି ସପ୍ତାହ ତଳେ ଛାତ୍ରଙ୍କୁ ଘରକୁ ଭୋକିଲା ପଠେଇ ଖୋଦ୍‌ ଜଣେ ଶିକ୍ଷାଧିକାରୀ ଚିକେନ ଝୋଳରେ ଭୋଳ ହେଲେ ବୋଲି ଗଣମାଧ୍ୟମବାଲା ହଟ୍ଟଗୋଳ କଲେ। କୁକୁଡ଼ାଙ୍କ ପରି କଥାକଥାକେ ଯେଉଁମାନେ ଆତଙ୍କିତ ହୋଇ ଚିତ୍କାର କରନ୍ତି, ଇଂଲିଶରେ ସେମାନଙ୍କୁ ଚିକେନ ହାର୍ଟେଡ କୁହାଯାଏ। ଆଉ ଆମର ଶିକ୍ଷକ ସମାଜ ଯେ ଖୁବ୍‌ଶୀଘ୍ର ଏମିତି ହୃଦ୍‌ରୋଗରେ ଆକ୍ରାନ୍ତ ନ ହେବେ, ସେ କଥା କିଏ କହିବ।
କେବଳ କୁକୁଡ଼ା ମାଗିଲେ କି ଝୋଳ ହାପୁଡ଼ିଲେ ନୁହେଁ, କୁକୁଡ଼ା ପାଳିଲେ ବି ବିପଦ ଅଛି। ଆମେ ସମସ୍ତେ ଜାଣୁ ଯେ ପ୍ରତି ପ୍ରହର ଶେଷରେ କୁକୁଡ଼ା ରାବେ ଏବଂ ଏକ ପ୍ରାକୃତିକ ନିର୍ଘଣ୍ଟ ଘୋଷକର କାମ କରେ। ତେବେ କୁକୁଡ଼ାର ଏଇ ସ୍ବଭାବ ଫ୍ରାନ୍ସର ଗ୍ରାମ୍ୟ ଇଲାକାରେ ଜଣେ ଗଞ୍ଜା ମାଲିକଙ୍କୁ ଅଦାଲତ ଯାଏ ଟାଣିକି ନେଇଛି। ମାଲିକଙ୍କ ପଡ଼ିଶା ଲୋକଙ୍କ ଅଭିଯୋଗ ହେଲା, ତାଙ୍କ କୁକ୍କୁଟର କର୍କଶ, ଉତ୍କଟ ଉଦ୍‌ଘୋଷଣା ସେମାନଙ୍କ ନିଶାନ୍ତର ନିଦ ଭାଙ୍ଗି ପାହାନ୍ତା ସପନକୁ ଚୂରମାର କରି ଦେଉଛି। ଧନ୍ୟ କହିବ ବିଦେଶ ମାଟିର ନାଗରିକ ସଚେତନତାକୁ। ଆମର ଏଠି ତ ଆଜ୍ଞା ସାରା ରାତି ଦୀପାବଳି ଫଟକା ଫୁଟୁ, ଡିଜେ ବାଜୁ, ବୁଲେଟ ବାୟାମାନଙ୍କ ଗର୍ଜନରେ ସାହି ଲୋକେ ତ୍ରାହି ତ୍ରାହି ଡାକନ୍ତୁ, କାର୍ଯ୍ୟାନୁଷ୍ଠାନ କିନ୍ତୁ ଶୂନ। ଅଦାଲତ ତ ଦୂରର କଥା, କନଷ୍ଟେବଳ ଜଣେ ଆସି ସାଙ୍କେତିକ ତାଗିଦ୍‌ଟେ ବି କରିବେନି। କୁକୁଡ଼ା ତ କେବେ କେବେ ରାବେ, ସାରା ରାତି ପଡ଼ିଶା ଘର କୁକୁର ଭୁକିଲେ ବି ଆପଣ ପ୍ରତିବାଦ କରିପାରିବେନି। ତେଣିକି ଆପଣ ବୃଦ୍ଧ, ରୋଗୀ, ପରୀକ୍ଷାର୍ଥୀ କି କ୍ଳାନ୍ତ ସଂସାରୀ ହୋଇଥାନ୍ତୁ କି ଆଉ କେହି।
ତେବେ କୁକୁଡ଼ା ଆଉ ଅଣ୍ଡାକୁ ନେଇ କେବଳ ବାହାରେ ବିବାଦ ଉପୁଜୁନି ଘରେ ମଧ୍ୟ କଳି, ଝଗଡ଼ା ଆରମ୍ଭ ହୋଇଗଲାଣି। ପ୍ରତିଦିନ ଅଣ୍ଡାରେ ଆପ୍ୟାୟିତ କରି ପାରିଲେନି ବୋଲି ପତ୍ନୀ ଜଣେ ପତିଙ୍କ ଉପରେ ନିକମା ଆରୋପ ଲଗେଇ, କୋପ କରି ଏବଂ ଅଣ୍ଡାର ଥୋପକୁ ଅନୁସରଣ କରି, ପୁରୁଣା ପ୍ରେମିକ ସାଙ୍ଗେ ପଳେଇଛନ୍ତି। ‘ସଣ୍ଡେ ହୋ ୟା ମଣ୍ଡେ, ରୋଜ୍‌ ଖାଓ ଅଣ୍ଡେ’ ସ୍ଲୋଗାନ ଦ୍ୱାରା ଉଦ୍‌ବୁଦ୍ଧ ଏଇ ଭଦ୍ର ମହିଳାଙ୍କୁ କେହି ଜଣେ ଅତ୍ୟଧିକ ଅଣ୍ଡା ଆସକ୍ତିରୁ ବିରତ ରହିବାକୁ କହିବାର ଥିଲା, କାହିଁକି ନା ପଚାଶଟି ଅଣ୍ଡା ଖାଇଲେ ଦୁଇ ହଜାର ଟଙ୍କା ଜିତିଯିବେ ଭାବି ଉତ୍ତରପ୍ରଦେଶରେ ଜଣେ ବ୍ୟକ୍ତି ବୟାଳିଶଯାଏ ପହଞ୍ଚୁ ପହଞ୍ଚୁ, ଅଚେତ ହୋଇ, ପରେ ଆଖି ବୁଜିଦେଲେ।
ଆମେ ସମସ୍ତେ ଜାଣୁ ଯେ ଉତ୍କୋଚ ନେବାଲୋକ ପରି ଦେବାଲୋକ ବି ଦୋଷୀ। ତେବେ ପ୍ରଥମେ ଗ୍ରହୀତାଙ୍କ ଆବିର୍ଭାବ ହେଲା ନା ଦାତାଙ୍କ ଉଦ୍ଭବ, ସେ ଏକ ରହସ୍ୟ। ଯେମିତି କହିବା ମୁସ୍କିଲ, ପ୍ରଥମେ କୁକୁଡ଼ା ଆସିଲା ନା ଅଣ୍ଡା। ପ୍ରଥମେ ପ୍ରକୃତିରେ ଜନ୍ମ ଗ୍ରହଣ କରି ପରେ ଉପନୟନ ସମୟରେ ଆଉ ଥରେ ପ୍ରତୀକାତ୍ମକ ଜନ୍ମପର୍ବ ପାଳନ କରୁଥିବାରୁ ବ୍ରାହ୍ମଣମାନଙ୍କୁ ଦ୍ୱିଜ କୁହାଯାଏ। ଠିକ୍‌ ସେମିତି କୁକୁଡ଼ା ସମେତ ବାକି ବିହଙ୍ଗ ଏବଂ ସରୀସୃପ ଯେଉଁମାନେ ପ୍ରଥମେ ଅଣ୍ଡା ଆକାରରେ ଭୂମିଷ୍ଠ ହୋଇ ପୁଣି ତା’ ଭିତରୁ ଆଉ ଥରେ ଆବିର୍ଭାବ ହୁଅନ୍ତି, ତାଙ୍କୁ ମଧ୍ୟ ଦ୍ୱିଜ କୁହାଯାଏ। ସେଦିନ ବନ୍ଧୁ ଜଣେ କହିଲେ, ହରିଣର ନାମ ବଦଳେଇ ହଇରାଣ ଡାକିବା ଉଚିତ ହେବ। କାରଣ ରାମ ଯୁଗରେ ଏଇ ଚତୁଷ୍ପଦଟି ସୀତାଙ୍କୁ କନ୍ଦେଇଲା। ଖୁବ୍‌ଶୀଘ୍ର ଏଇ ତାଲିକାରେ କୁକୁଡ଼ା ଏବଂ ମୟୂରଙ୍କ ନାମ ଯୋଡ଼ା ହେବ। କିଛି ସପ୍ତାହ ତଳେ ପଶ୍ଚିମ ଓଡ଼ିଶାରେ ଏକ ମାଓବାଦୀ ଶିବିର ଦଖଲ କଲା ସମୟରେ ଅନ୍ୟସବୁ ସାମଗ୍ରୀ ସହ ପୋଲିସ ବାବୁମାନେ ଦୁଇଟି ମୟୂରଙ୍କୁ ଉଦ୍ଧାର କଲେ। ପରେ କିନ୍ତୁ ଏଇ ଜାତୀୟ ପକ୍ଷୀଦ୍ୱୟ ଅନ୍ତର୍ଦ୍ଧାନ ହୋଇ ପ୍ରାଦେଶିକ ଖବର ପାଲଟିଲେ। ସାମ୍ବାଦିକମାନେ ପଚାରିବାରୁ କୁଆଡେ ବଲାଙ୍ଗୀର ଜିଲା ପୋଲିସ ମୁଖିଆ ଖୋଦ୍‌ ଜିଲାପାଳଙ୍କ ଉପସ୍ଥିତିରେ ନାଲିଆଖି ଦେଖେଇ ନକାରାତ୍ମକ ଉତ୍ତର ଦେଲେ।
ଆରେ ବାବା ସେ ଥିଲା କାର୍ତ୍ତିକ ମାସ। କାର୍ତ୍ତିକେୟଙ୍କୁ କେଉଁ ମନ୍ଦିର କି ଘାଟ ପାଖରେ ଓହ୍ଲେଇଦେଇ ବାହନଦ୍ୱୟ ହୁଏ ତ ଜଳପାନ କରୁଥିଲେ ଏବଂ ପୋଲିସବଳ ହାତରେ ଧରାପଡ଼ିଲେ। ପୁଣି ସୁଯୋଗ ଦେଖି ବଣପକ୍ଷୀ ବଣକୁ ଉଡ଼ିଗଲେ। କୁକୁଡ଼ାଲୋଭୀ କର୍ମଚାରୀଙ୍କୁ କାଠଗଡ଼ାରେ ଅବଶ୍ୟ ଛିଡ଼ା କରାଯାଉ, କିନ୍ତୁ ଏ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଚେଷ୍ଟା କରାଯାଉ।
ଶୈଳଶ୍ରୀବିହାର, ଭୁବନେଶ୍ୱର,
ମୋ-୯୬୫୮୧୧୦୪୪୭, ୯୮୬୧୫୫୨୭୯୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri