କାଜୁ ବିକ୍ରି କରି ଘର ଚଳାଉଥିବା ଏହି ଝିଅ ଏବେ ଯିବେ ନାସା

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ଏବଂ କଠିନ ପରିଶ୍ରମ ଦ୍ୱାରା ସାରା ଜଗତକୁ ମଧ୍ୟ ଜିଣିହୁଏ। ଏହି ଉକ୍ତିଟିର ସଫଳ ରୂପାୟନ ଦେଖିବାକୁ ମିଳିଛି ତାମିଲନାଡୁର ଅଦାନକୋଟ୍ଟଇ ସରକାରୀ ସ୍କୁଲରେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ବିଜ୍ଞାନ ଛାତ୍ରୀ କେ. ଜୟଲକ୍ଷ୍ମୀଙ୍କ ଘଟଣାରୁ। କାଜୁ ବିକ୍ରି କରି ଘର ଚଳାଉଥିବା ଜୟଲକ୍ଷ୍ମୀଙ୍କୁ ଏବେ ଆମେରିକା ମହାକାଶ ଗବେଷଣା କେନ୍ଦ୍ର(ନାସା)କୁ ଯିବା ପାଇଁ ସୁଯୋଗ ମିଳିଛି। ୨୦୨୦ ମେ’ରେ ତାଙ୍କୁ ନାସା ଯିବା ପାଇଁ ଚୟନ କରାଯାଇଛି। ଆଉ ଏଥିପାଇଁ ବାଧକ ସାଜିଥିବା ଟଙ୍କା ମଧ୍ୟ ଆଦାୟ ହୋଇଯାଇଛି। ଜୟଲକ୍ଷ୍ମୀଙ୍କ ନାସା ସ୍ବପ୍ନକୁ ପୂରା କରିବା ପାଇଁ ଲୋକମାନେ ଚାନ୍ଦା କରି ଟିକେଟ ମୂଲ୍ୟକୁ ଏକତ୍ରିତ କରିଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)କୁ ଯିବା ପାଇଁ ମଧ୍ୟ ତାଙ୍କୁ ସୁଯୋଗ ମିଳିଛି। ତେବେ ତାଙ୍କ ଏହି ଯାତ୍ରା ପଛର କାହାଣୀ ବେଶ୍‌ ରୋଚକ ରହିଛି। ସୂଚନାଯୋଗ୍ୟ, ଜୟଲକ୍ଷ୍ମୀ ମା’ ଓ ମାନସିକ ଦିବ୍ୟାଙ୍ଗ ଭାଇଙ୍କ ସହ ରୁହନ୍ତି। ତାଙ୍କ ବାପା ଅଲଗା ରହୁଥିବା ବେଳେ ସେ ଘରର ଏକମାତ୍ର ରୋଜଗାରିଆ ସଦସ୍ୟ। ତେଣୁ ଜୟଲକ୍ଷ୍ମୀ କାଜୁ ବିକ୍ରି କରିବା ସହ ଅଷ୍ଟମ ଓ ନବମ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇ ଘରର ପ୍ରତିପୋଷଣ କରିଥାନ୍ତି। ଏକଦା ଜୟଲକ୍ଷ୍ମୀ କ୍ୟାରମ୍‌ ମ୍ୟାଚ୍‌ର ଅଭ୍ୟାସ କରୁଥିବା ବେଳେ ତାଙ୍କ ସାମ୍ନାରେ ଥିବା ଖବରକାଗଜକୁ ପଢ଼ିଥିଲେ। ଖବରକାଗଜରୁ କଟା ଯାଇଥିବା ଧାନ୍ୟ ଥାସ୍‌ନେମଙ୍କ ଏକ ଗପକୁ ସେ ପଢ଼ିଥିଲେ। ଗତ ବର୍ଷ ଥାସ୍‌ନେମଙ୍କୁ ନାସା ଯିବା ପାଇଁ ସୁଯୋଗ ମିଳିଥିବା ବେଳେ ତାଙ୍କଠାରୁ ପ୍ରେରଣା ପାଇ ଜୟଲକ୍ଷ୍ମୀ ତୁରନ୍ତ ଅନ୍‌ଲାଇନ୍‌ ପରୀକ୍ଷା ଲାଗି ପଞ୍ଜୀକରଣ କରିଥିଲେ। କିନ୍ତୁ ସେ ଇଂଲିଶ୍‌ ଭାଷା ଜାଣି ନ ଥିଲେ। ଏଥିପାଇଁ ସେ ପ୍ରାୟ ୧ମାସ ଧରି ରାତି ଦିନ ଏକ କରି ଇଂଲିଶର ଅଭ୍ୟାସ କରିଥିଲେ। ଆଉ ଏହି ପରୀକ୍ଷାରେ ଗ୍ରେଡ-୨ରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ସେ ନାସା ଯିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। କିନ୍ତୁ ତାଙ୍କ ସମ୍ମୁଖରେ ଏକ ବଡ଼ ଚ୍ୟାଲେଞ୍ଜ ଭଳି ସୃଷ୍ଟି ହୋଇଥିଲା ଟଙ୍କା। ଡିସେମ୍ବର ୨୭ରେ ତାଙ୍କୁ ୧.୬୯ ଲକ୍ଷ ଟଙ୍କା ଜମା କରିବାକୁ ଥିଲା। ଏଥିପାଇଁ ଜୟଲକ୍ଷ୍ମୀ ସୋସିଆଲ ମିଡିଆ ଜରିଆରେ ଏବଂ ପୁଦୁକୋଟେର ଜିଲାପାଳଙ୍କୁ ସାହାଯ୍ୟ ଲୋଡିଥିଲେ। ଜିଲାପାଳ ତାଙ୍କୁ ସାହାଯ୍ୟର ହାତ ବଢ଼ାଇବା ସହ ପାସପୋର୍ଟ ଅଧିକାରୀ ମଧ୍ୟ ତାଙ୍କୁ ୫ଶହ ଟଙ୍କା ଦେଇଥିବା ଜଣାପଡ଼ିଛି। ସୂଚନା ମୁତାବକ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କୁ ନିଜର ଆଦର୍ଶ ମାନୁଥିବା ବେଳେ ସେ ବୈଜ୍ଞାନିକ ହୋଇ ରକେଟ ତିଆରି କରିବା ପାଇଁ ସ୍ବପ୍ନ ରଖିଛନ୍ତି।

Share