କସର୍ଦା ଫାଣ୍ଡିକୁ ବୋମା ମାଡ଼, ଅଭିଯୁକ୍ତ ଗିରଫ

ନିଆଳି,୧୪।୩(ଡି.ଏନ୍‌.ଏ.): ନିଆଳି ଥାନା ଅନ୍ତର୍ଗତ ଦେବୀ-କନ୍ଦଳ ଦ୍ୱୀପାଞ୍ଚଳର କସର୍ଦା ଫାଣ୍ଡି ଉପରକୁ ବୋମାମାଡ଼ କରିବା ଅଭିଯୋଗରେ ଶୁକ୍ରବାର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ କର୍ସଦା ଗ୍ରାମର ଦିଲୀପ ପ୍ରଧାନ। ପୋଲିସ ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଦୋପଟି ମେଳଣ ଜମାଣ ଚାଲିଥିବା ବେଳେ ସେଠାରେ ଦିଲୀପ ଚୋରାମଦ ବିକ୍ରି ପାଇଁ ଉଦ୍ୟମ କରୁଥିଲେ। ପୋଲିସ ଏଥିରେ ବାଧା ସୃଷ୍ଟି କରିବାରୁ ସେ ଆଉ ବେପାର କରି ପାରି ନ ଥିଲେ। ରାତି ପ୍ରାୟ ୧ଟା ୩୦ରେ ଦିଲୀପ ଫାଣ୍ଡି ଉପରକୁ ଏକ ବୋମା ଫିଙ୍ଗିଥିଲେ। ବୋମାଟି ଫାଣ୍ଡି ପରିସରରେ ଥିବା ଏକ ଗଛରେ ମାଡ଼ ହୋଇ ଫୁଟିଥିଲା। ଏଥିରେ କୌଣସି କ୍ଷତି ହୋଇ ନ ଥିଲା। ପୋଲିସ ସଙ୍ଗେ ସଙ୍ଗେ ଘେରିଯାଇ ଅଭିଯୁକ୍ତ ଦିଲୀପଙ୍କୁ ଧରିଥିଲା। ଏ ନେଇ ଥାନାରେ ଏକ ମାମଲା (ନଂ.୬୦/୨୦)ରୁଜୁ ହୋଇଛି।