Categories: ଜାତୀୟ

କଶ୍ମୀର ମଧ୍ୟସ୍ଥତାକୁ ଭାରତର ନା

ନୂଆଦିଲ୍ଲୀ,୧୭ା୨: କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ଲାଗି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ପ୍ରସ୍ତାବ ଦେଇଥିବା ବେଳେ ଭାରତ ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯାଇଛି। କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପକୁ ଆଦୌ ଗ୍ରହଣ କରାଯିବ ନାହିଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି। ଗୁଟେରେସ୍‌ ପାକିସ୍ତାନରେ ଚାଲିଥିବା ଭାରତ ବିରୋଧୀ ଷଡ଼ଯନ୍ତ୍ର ଓ ସୀମାପାର୍‌ ଆତଙ୍କବାଦକୁ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି। ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଆମ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆତଙ୍କବାଦ ଯୋଗୁ ମାନବାଧିକାର କ୍ଷୁଣ୍ଣ ହେଉଛି। ଆତଙ୍କବାଦ ଦ୍ୱାରା ପାକିସ୍ତାନ ଜମ୍ମୁ-କଶ୍ମୀରର କିଛି ଅଂଶ ବେଆଇନ ଭାବେ ମାଡ଼ିବସିଛି। ଆଲୋଚନା ମାଧ୍ୟମରେ ଏସବୁର ସମାଧାନ ଦ୍ୱିପାକ୍ଷିକ ଭାବେ ସମ୍ଭବ ହୋଇପାରିବ ବୋଲି ଭାରତ ପକ୍ଷରୁ କୁହାଯାଇଛି। ପ୍ରକାଶଥାଉ କି, ଚାରିଦିନିଆ ପାକିସ୍ତାନ ଗସ୍ତରେ ଯାଇ ଗୁଟେରେସ୍‌ ଖବରଦାତା ସମ୍ମିଳନୀରେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ମନ ବଳାଇଥିଲେ।

Share