Categories: ଜାତୀୟ

କଶ୍ମୀରରେ ନୀରବତାର ରାଜୁତି

ଶ୍ରୀନଗର,୮ା୮(ପି.ଟି.): ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରୀ ରାସ୍ତାଘାଟ ଶୂନଶାନ। ସବୁଠି ଅଖଣ୍ଡ ନୀରବତା ରାଜୁତି କରୁଛି। ଶ୍ରୀନଗର ସମେତ ବିଭିନ୍ନ ସହରରେ ପୋଲିସ ଓ ସଶସ୍ତ୍ର ବଳର କଡ଼ା ପ୍ରହରା। ଏଥିସହ ସହ ଟିକିନିଖି ଯାଞ୍ଚ ଚାଲିଥିବାରୁ ଅଧିକାଂଶ ଲୋକ ଘରୁ ବାହାରୁନାହାନ୍ତି। କୌଣସି ପ୍ରକାର ଗୁଜବଜନିତ ବିଭ୍ରାଟକୁ ଏଡାଇବା ଲାଗି ମୋବାଇଲ୍‌ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିବାରୁ କଶ୍ମୀରବାସୀ ନିଜ ନିଜ ମଧ୍ୟରେ ଯୋଗସୂତ୍ର ରକ୍ଷାକରି ପାରୁନାହାନ୍ତି। କେବଳ ଜରୁରୀ କାର୍ଯ୍ୟରେ ବାହାରକୁ ଯିବା ପାଇଁ ଲୋକଙ୍କୁ ଅନୁମତି ଦିଆଯାଉଛି। ସେହିପରି ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ମଧ୍ୟ ଗୁଳିଗୋଳାର ଶବ୍ଦ ଆଉ ଶୁଣିବାକୁ ମିଳୁନାହିିଁ।
ଅଘୋଷିତ କର୍ଫ୍ୟୁକୁ ନେଇ ବହୁ ଲୋକ ଆଶଙ୍କା ଓ ଆତଙ୍କ ମଧ୍ୟରେ ରହିଛନ୍ତି। ପୁଞ୍ଚ ଜିଲାରେ ମଙ୍ଗଳବାର ହିଂସା ଦେଖିବାକୁ ମିଳିଥିଲା। ୩୭୦ ଉଚ୍ଛେଦ ପ୍ରତିବାଦରେ ସୁରାନକୋଟ ଓ ବୁଫାଲିଆଜ୍‌ ଅଞ୍ଚଳରେ ଲୋକେ ରାସ୍ତାକୁ ଓହ୍ଲାଇ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ। ଲୋକଙ୍କ ଆକ୍ରମଣରେ ଜଣେ ଡିଏସ୍‌ପିଙ୍କ ସମେତ ୩ ପୋଲିସ ଅଧିକାରୀ ଆହତ ହୋଇଥିଲେ। ଏହାକୁ ନେଇ ରାଜ୍ୟପାଳ ସତ୍ୟପାଲ ମଲିକ ବୁଧବାର ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କରିଛନ୍ତି। କାଁ ଭାଁ କେଉଁଠି ହିଂସାକୁ ଛାଡ଼ିଦେଲେ ଉପତ୍ୟକା ପ୍ରାୟ ଶାନ୍ତିପୂର୍ଣ୍ଣ ରହିଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟ, ବିଦ୍ୟୁତ୍‌ ଓ ଜଳଯୋଗାଣ ଭଳି ଜରୁରିକାଳୀନ ସେବା ସ୍ବାଭାବିକ ରହିଥିବା ରାଜ୍ୟପାଳ ସୂଚନା ଦେଇଛନ୍ତି। ଏହାସହ ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ସେମାନଙ୍କୁ ସୁବିଧା ଯୋଗାଇଦେବାକୁ ରାଜ୍ୟପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ବୁଧବାର ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ସେ ଶୋପିଆନ୍‌ ଜିଲାର କେତେଜଣ ଲୋକଙ୍କ ସହ ମିଶି ମଧ୍ୟାହ୍ନଭୋଜନ କରୁଥିବା ଭିଡିଓ ଭାଇରାଲ ହୋଇଛି।

Share