Categories: ବାଣିଜ୍ୟ

କଶ୍ମୀରରେ କାରଖାନା ଖୋଲିବ ଏସିଆର ସର୍ବବୃହତ ହେଲମେଟ କମ୍ପାନୀ

ନୂଆଦିଲ୍ଲୀ,୭-୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଏସିଆର ସର୍ବବୃହତ ହେଲମେଟ ନିର୍ମାତା କମ୍ପାନୀ ଷ୍ଟିଲବାର୍ଡ ହାଇଟେକ ଇଣ୍ଡିଆ କେନ୍ଦ୍ରଶାସିତ ଅଞ୍ଚଳରେ କାରଖାନା ପ୍ରତିଷ୍ଠା କରିବାକୁ ଆଗ୍ରହ ପ୍ରକାଶ କରିଛି। କମ୍ପାନୀ ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରି କହିଛି ଯେ, କଶ୍ମୀର ଉପତ୍ୟକାରେ ନୂଆ ଔଦ୍ୟୋଗିକ କ୍ରାନ୍ତି ଆରମ୍ଭ ହେବ। ଫଳରେ ସ୍ଥାନୀୟ ନାଗରିକଙ୍କୁ ନିଯୁକ୍ତି ମିଳିବ। ଷ୍ଟିଲବାର୍ଡ ହେଲମେଟ୍ସର ଅଧ୍ୟକ୍ଷ ସୁଭାଷ କପୁର କହିଛନ୍ତି ଯେ, ଅନୁଚ୍ଛେଦ ୩୭୦ ହଟାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଉଠାଯାଇଥିବା ପଦକ୍ଷେପ ବହୁ ପ୍ରତୀକ୍ଷିତ ଥିଲା। ଏହି ଚମତ୍କାର ପଦକ୍ଷେପ ଦ୍ୱାରା କଶ୍ମୀର ଉପତ୍ୟକା ଭାରତର ମୁଖ୍ୟଧାରାରେ ସାମିଲ ହୋଇପାରିବ ଏବଂ ଦେଶର ସାମୂହିକ ବିକାଶର ଅଂଶବିଶେଷ ହୋଇପାରିବ। ଅଦ୍ୟାବଧି ସେଠାକାର ଜମ୍ମୁ-କଶ୍ମୀରରେ ଅଧିକାଂଶ ବିନିର୍ମାଣ ଗତିବିଧି କୃଷି ଏବଂ ହସ୍ତଶିଳ୍ପ ପର୍ଯ୍ୟନ୍ତ ସୀମିତ ରହିଛି। ସେଠାରେ ଅକ୍ଟୋବରରେ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଅଂଶଗ୍ରହଣ କରିବା ସହ କମ୍ପାନୀ କାରଖାନା ଖୋଲିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି କମ୍ପାନୀ ଏମ୍‌ଡି ରାଜୀବ କପୁର କହିଛନ୍ତି। ସୂଚନାଥାଉ କି, ଷ୍ଟିଲ୍‌ବାର୍ଡ ଇତିମଧ୍ୟରେ ହିମାଚଳ ପ୍ରଦେଶର ବଡ୍ଡିରେ ୧୫୦ କୋଟି ଟଙ୍କା ନିବେଶ କରି କାରଖାନା ସ୍ଥାପନ କରିସାରିଛି। ଏଠାରେ ଦିନକୁ ୪୪,୫୦୦ ହେଲମେଟ ନିର୍ମାଣ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କଶ୍ମୀର ଉପତ୍ୟକାରେ ସମାନ ପ୍ରଗତି କରିବାକୁ କମ୍ପାନୀ ଆଶାବାନ୍ଧିଛି।

Share