‘କଳ୍ପନା ଦି ୱାଣ୍ଡର’ ନାଟକ ମଞ୍ଚସ୍ଥ

ଢେଙ୍କାନାଳ ଅଫିସ,୧୩ା୬-ଢେଙ୍କାନାଳ ସହର ଉପକଣ୍ଠସ୍ଥିତ ଗୋବିନ୍ଦପୁରଠାରେ ଥିବା ମହର୍ଷି ଦୟାନନ୍ଦ ସର୍ଭିସ୍‌ ମିଶନ ପରିସରରେ ବୁଧବାର ଅଲଟରନେଟିଭ୍‌ ରିଦମ ଥିଏଟର ପକ୍ଷରୁ ନାଟକ ‘କଳ୍ପନା ଦି ୱାଣ୍ଡର’ ପରିବେଷିତ ହୋଇଯାଇଛି। ଜାତୀୟ ଖ୍ୟାତି ସମ୍ପନ୍ନ ନାଟ୍ୟକାର ତଥା ନିର୍ଦ୍ଦେଶକ ଦିନେଶ ଦାଶଙ୍କ ରଚନା ଓ ନିର୍ଦ୍ଦେଶନାରେ ଏହି ନାଟକ ପ୍ରସ୍ତୁତ ହୋଇଥିଲା। ଏଭରେଷ୍ଟ ଆରୋହିଣୀ କଳ୍ପନା ଦାଶଙ୍କୁ ନାଟକ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ୨୦ ମିନିଟ ଅବଧି ବିଶିଷ୍ଟ ନାଟକରେ କଳ୍ପନାଙ୍କ ପିଲା ଦିନଠାରୁ ମୃତ୍ୟୁ ପର୍ଯ୍ୟନ୍ତ କିପରି ଥିଲା ତାହା ଦେଖାଯାଇଛି। ସେହିପରି ନାଟକ ପାଇଁ ଉଦ୍ଦିଷ୍ଟ ମଞ୍ଚରେ ନାଟକ ପରିବେଷଣ କରା ନ ଯାଇ ଏକ ବରଗଛ ମୂଳରେ ନାଟକଟି ପ୍ରଦର୍ଶିତ ହୋଇଥିଲା। ଓଡିଶାର ବିଭିନ୍ନ ସ୍ଥାନରେ ଉକ୍ତ ନାଟକକୁ ପରିବେଷଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ନାଟକର ବିଭିନ୍ନ ଭୂମିକାରେ ମନୋହର, କାମାକ୍ଷା, ସୁମିତ୍ରା, ମାଧବ, ବଂଶୀଧର, ଶିବା, ଜିତୁ, ସୁରଜ, କୃଷ୍ଣ, ଜିଜ୍ଞାସୁ, ଅଂସିତ, ସାଇଚନ୍ଦନ, ଆଦିକ, ଦେବସ୍ବରିତ, ସାବିତ୍ରୀ, ବିଷ୍ଣୁପ୍ରିୟା, ପ୍ରତ୍ୟାଶା, ସ୍ମୃତି, ସୀମା, ରଶ୍ମୀପ୍ରଭା, ପ୍ରିୟଦର୍ଶିନୀ, ମିଲନ, ପ୍ରତିକ୍ଷା, ଆହାନା ଓ ନାନ୍ସି ପ୍ରମୁଖ ଅଭିନୟ କରିଥିଲେ। ହରେକୃଷ୍ଣ ସାହୁ ନାଟକ ପରିଚାଳନା କରିଥିବାବେଳେ ଫକ ଜେନା ଆଲୋକ ପରିଚାଳନା କରିଥିଲେ। ଏହାପୂର୍ବରୁ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଚିତ୍ରଶିଳ୍ପୀ ଆଶୁତୋଷ ପାଣିଗ୍ରାହୀ ଏକ ସଚେତନତା ମୂଳକ ନାଟକ ପରିବେଷଣ କରିଥିଲେ। ଅଲଟରନେଟିଭ୍‌ ରିଦମ ଥିଏରର ଅଧ୍ୟକ୍ଷା ଡ. ପୁଷ୍ପଲତା ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ମହର୍ଷି ଦୟାନନ୍ଦ ସର୍ଭିସ୍‌ ମିଶନର ମୁଖ୍ୟ ପ୍ରଦୀପ ସାହୁ, ଶିଳ୍ପୀ ଆଶୁତୋଷ ପାଣିଗ୍ରାହୀ ଯୋଗ ଦେଇଥିଲେ।