ମନୋଜ ଦାସଙ୍କୁ କଳିଙ୍ଗ ସାହିତ୍ୟ ସମ୍ମାନ

ଭୁବନେଶ୍ୱର, ୯ା୨(ବ୍ୟୁରୋ): ମିଷ୍ଟିକ୍‌ କଳିଙ୍ଗ ସାହିତ୍ୟ ମହୋତ୍ସବର ଚତୁର୍ଥ ସଂସ୍କରଣ ଶନିବାର ସ୍ଥାନୀୟ ଏକ ହୋଟେଲରେ ଉଦ୍‌ଘାଟିତ ହୋଇଛି। ଦୁଇଦିନ ଧରି ହେବାକୁ ଥିବା ଏହି ମହୋତ୍ସବର ପ୍ରଥମ ଦିବସରେ କଥାକାର ତଥା ବିଶିଷ୍ଟ ସାହିତ୍ୟ ଲେଖକ ମନୋଜ ଦାସ ଯୋଗଦେଇ ‘ଦୈବିକ ପ୍ରଗଳ୍‌ଭତା : ପ୍ରଜ୍ଞାନ, ଆନନ୍ଦ ଓ ରୂପାନ୍ତରଣ’ ବିଷୟବସ୍ତୁ ଉପରେ ସମ୍ଭାଷଣ ପ୍ରଦାନ କରିଥିଲେ। ସେ କହିଲେ, ଦୈବିକ ପ୍ରଗଳ୍‌ଭତାର ଏକ ପରାଶକ୍ତି ସହିତ ନିଜକୁ ଦେଖିବାର ଅନୁଭବ ଓ ଏହାର ଧର୍ମ, ସମ୍ପ୍ରଦାୟ ସହିତ କୌଣସି ସମ୍ପର୍କ ନାହିଁ। ଏହି ଅନୁଭବ ଜଣେ ବ୍ୟକ୍ତିଙ୍କୁ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଶକ୍ତି ଦେଇଥାଏ। ତେବେ ଆଧୁନିକ ସାହିତ୍ୟ, ବିଶେଷ କରି ଆଧୁନିକ କବିତାରେ ସାହିତ୍ୟର ମାନ ଅନେକାଂଶରେ କ୍ଷୁଣ୍ଣ ହେଉଛି। ଅନେକ ସମୟରେ ଅବୋଧ୍ୟ, କହି ହେଉ ନ ଥିବା କଥାକୁ କବିତା ଆକାରରେ କୁହାଯାଉଥିଲେ ହେଁ ଆଧୁନିକ କବିତା ଏହି ଗୁଣଟିର ଦୁର୍ବ୍ୟବହାର କରିଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମନୋଜ ଦାସଙ୍କୁ କଳିଙ୍ଗ ସାହିତ୍ୟ ସମ୍ମାନ ପ୍ରଦାନ ପୂର୍ବକ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା।

କବି ରାମାକାନ୍ତ ରଥ, ସାହିତି୍ୟକା ପ୍ରତିଭା ରାୟ, ସାହିତି୍ୟକ ସୀତାକାନ୍ତ ମହାପାତ୍ର ପ୍ରମୁଖ ନିଜ ମତ ରଖିଥିଲେ। ମହୋତ୍ସବରେ ସାହିତ୍ୟକୃତି ମନ୍ଥନ୍‌, ଭକ୍ତିବାଦ, ପଞ୍ଚସଖା ସାହିତ୍ୟ, ଲେଖକଙ୍କ ସହିତ ଆଲୋଚନା, ସୁଫି ସଙ୍ଗୀତ ପରିବେଷଣ ଆଦି ସାତଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହାସହିତ ମିଷ୍ଟିକ ମାଇକ କାର୍ଯ୍ୟକ୍ରମରେ କଳାକାରକମାନେ ସଙ୍ଗୀତ ଓ ଲୋକଗୀତ ପରିବେଷଣ କରିଥିଲେ।