କଳିଙ୍ଗା ଘାଟିରେ ପୁଣି ସୁରଟରୁ ପ୍ରବାସୀଙ୍କୁ ନେଇ ଫେରୁଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ

ଜି.ଉଦୟଗିରି, ୩।୫(ଡି. ଏନ୍‌.ଏ.): କନ୍ଧମାଳ ଜିଲା କାଲିଙ୍ଗା ଘାଟିରେ ରବିବାର ଦିନ ସକାଳ ୯ଟା ସମୟରେ ସୁରଟରୁ ପ୍ରବାସୀ ଓଡ଼ିଆ ମାନଙ୍କୁ ନେଇ ଫେରୁଥିବା ଏକ ବସ୍‌ ରବିବାର ସକାଳୁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ୫ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ବସରେ ସମୁଦାୟ ୫୭ ଜଣ ଯାତ୍ରୀ ଥିବା ଜି ଉଦୟଗିରି ଅତିରିକ୍ତ ତହସିଲଦାର ରାକେଶ ପାତ୍ର କହିଛନ୍ତି।

ସୂଚନାନୁଯାୟୀ, ସୁରଟରୁ ଅମ୍ବିକା ନାମକ ଏକ ବସ (ଜିଜେ୦୬-୨୨-୯୫୫୯) ଗଞ୍ଜାମ ଜିଲା ସୋରୋଡା ଅଞ୍ଚଳର ୫୭ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ସମୟରେ ସକାଳେ କଳିଙ୍ଗା ଘାଟିଠାରୁ ଦୁଇ କିମି ରାସ୍ତା ଅତିକ୍ରମ କରିବା ପରେ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଠାରେ ପୂର୍ବରୁ ଏକ ଟ୍ରକ୍‌ ଦୁର୍ଘଟଣା ହୋଇ ରହିଥିଲା ସେଇ ସ୍ଥାନରେ ହିଁ ବସ୍‌ର ଦୁର୍ଘଟଣା ଘଟିଛି। ଖବର ପାଇ ଜି.ଉଦୟଗିରି ଦମକଳ ଗାଡି, ଆମ୍ବୁଲାନ୍ସ ଓ ପୋଲିସ ଓ ସରକାରୀ ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଯାତ୍ରୀମାନଙ୍କୁ ଅନ୍ୟ ଏକ ବସ୍‌ ଦ୍ୱାରା ସେମାନଙ୍କୁ ଭଞ୍ଜନଗର ପଠାଯିବ ବୋଲି ଅତିରିକ୍ତ ତହସିଲଦାର କହିଛନ୍ତି। ଘଟଣାସ୍ଥଳରେ ଜି.ଉଦୟଗିରି ପୋଲିସ ଏସ୍‌ଡିପିଓ ଜୟକୃଷ୍ଣ ବେହେରା, ଆଇଆଇସି ଧୀରଜ କୁମାର ଲେଙ୍କା, ଏସ୍‌ଆଇ କୌଶଲ୍ୟା ବେହେରା ପ୍ରମୁଖ ଉପସ୍ଥିତ ଅଛନ୍ତି। ତେବେ ଶନିବାର ସନ୍ଧ୍ୟାରେ ମଧ୍ୟ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଫେରୁଥିବା ଏକ ବସ ଏହି ଘାଟିରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।