କଳାହାଣ୍ଡିରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: କୋର୍ଟ, କଚେରୀ, ସରକାରଙ୍କ ସମସ୍ତ ଅଫିସ ବନ୍ଦ

ଭବାନୀପାଟଣା,୨୬।୮(ଡି.ଏନ.ଏ.): କଳାହାଣ୍ଡି ଜିଲାରେ ସ୍ଥାୟୀ ହାଇକୋର୍ଟ ପ୍ରତିଷ୍ଠା ଦାବି ନେଇ ଜିଲା ଓକିଲ ସଂଘ ଆହ୍ବାନକ୍ରମେ ସୋମବାର ଭବାନୀପାଟଣାରେ ସମସ୍ତ କୋର୍ଟ, କଚେରୀ, ତହସିଲ ସମେତ ସମସ୍ତ ଅଫିସ, ବ୍ୟାଙ୍କ, ପୋଷ୍ଟ ଅଫିସ ୧୨ ଘଣ୍ଟିଆ ବନ୍ଦ ରହିଛି । ସେହିପରି ଏହି ଆନ୍ଦୋଳନକୁ ସମର୍ଥନ କରି ଜିଲାର ଧର୍ମଗଡ, କୋକସରା, ଜୟପାଟଣା, ଜୁନାଗଡ, କେସିଙ୍ଗା ଓ ମ.ରାମପୁରରେ ସମସ୍ତ କୋର୍ଟ କଚେରୀ ବନ୍ଦ ରହିଛି । ଏହି ଆନ୍ଦୋଳନ ଜିଲାବାସୀଙ୍କ ସ୍ବାଭିମାନ ଓ ହକ୍‌ର ଆନ୍ଦୋଳନ ହୋଇଥିବାରୁ ସମସ୍ତ ରାଜନୈତିକ ଦଳ ଓ ସଙ୍ଗଠନ ଦୃଢ଼ ସମର୍ଥନ କରିଛନ୍ତି । ଯଦି କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ କଳାହାଣ୍ଡିରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନ କରନ୍ତି ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ସାରା ଜିଲାକୁ ବ୍ୟାପିବା ସହିତ ଏହା ଏକ ଜନଆନ୍ଦୋଳନର ରୂପ ନେବ ଏବଂ ଅନିର୍ଦ୍ଦିଷ୍ଟକାଳ ପାଇଁ ଜିଲାର ସମସ୍ତ କୋର୍ଟ, କଚେରୀ, ସରକାରୀ ଅଫିସ, ବ୍ୟାଙ୍କ, ପୋଷ୍ଟ ଅଫିସକୁ ବନ୍ଦ କରିବା ସହିତ କଳାହାଣ୍ଡି ବନ୍ଦ ଆହ୍ବାନ ଦିଆଯିବ ବୋଲି ଓକିଲ ସଂଘ ସଭାପତି ଭବାନ୍ଦ୍ରେ ପଣ୍ଡା ଓ ସମ୍ପାଦକ ଅଶ୍ୱିନୀ କୁମାର ଦାସ ପ୍ରକାଶ କରଛନ୍ତି ।
ଓକିଲ ସଂଘ ସଭାପତି ପଣ୍ଡା, ସମ୍ପାଦକ ଦାସ, ଉପସଭାପତି ଦିଲୀପ କୁମାର ପ୍ରହରାଜ, ସହକାରୀ ସମ୍ପାଦକ ନିହାର ରଞ୍ଜନ ମିଶ୍ର, କୋଷାଧ୍ୟକ୍ଷ ମାନସ ପ୍ରସାଦ ମହାପାତ୍ର, କାର୍ଯ୍ୟକାରୀ ସଦସ୍ୟ କ୍ଷୀରୋଦ ପ୍ରସାଦ ନେଗୀ, ଅବଦୁଲ ସାଜିଦ୍‌, ଜୟଶଙ୍କର ନାଏକ ପ୍ରମୁଖଙ୍କ ନେତୃତ୍ୱର ସମସ୍ତ ଆଇନଜୀବୀମାନେ କୋର୍ଟ ସମ୍ମୁଖରେ ଧାରଣା ଦେଇଥିଲେ।