କଳାକାରଙ୍କ ଭାଗ୍ୟ ବଦଳାଏ ଫିଲ୍ମ ଫ୍ରାଇଡେ

ମୁମ୍ବାଇ: କଳାକାରଙ୍କ ଭାଗ୍ୟ ଶୁକ୍ରବାର ବଦଳିଯାଏ ବୋଲି ଅଭିନେତ୍ରୀ ତମନ୍ନା ଭାଟିଆ ପ୍ରକାଶ କରିଛନ୍ତି। ପ୍ରତି ସପ୍ତାହର ଶୁକ୍ରବାର ନୂଆ ଫିଲ୍ମ ରିଲିଜ ହେଉଥିବାରୁ କଳାକାରମାନେ ସେଇ ଆଙ୍‌କାକ୍ଷିତ ଦିବସକୁ ଚାହିଁ ରହିଥାଆନ୍ତି। ଫିଲ୍ମ ରିଲିଜ ହେଲେ ଅଭିନେତା ଅଭିନେତ୍ରୀଙ୍କର ଖୁସି କହିଲେ ନ ସରେ। କାରଣ ଏହିଦିନ ହିଁ ଜଣେ ନୂଆ କଳାକାରଙ୍କ ଭାଗ୍ୟ ନିର୍ଦ୍ଧାରିତ ହୁଏ ଏବଂ ସବୁକିଛି ବଦଳିଯାଏ ବୋଲି ତମନ୍ନା କହିଛନ୍ତି।
୧୫ବର୍ଷ ବୟସରୁ ସିନେମାରେ ଡେବ୍ୟୁ କରି ତମନ୍ନା ଦକ୍ଷିଣ ଭାରତୀୟ ସିନେମାରେ ଜଣେ ଷ୍ଟାର ବନିଯାଇଥିଲେ। ମୁମ୍ବାଇରେ ଜନ୍ମ ହୋଇଥିବା ଓ ବଢ଼ିଥିବା ଏହି ଅଭିନେତ୍ରୀ ୨୦୦୫ରେ ତେଲୁଗୁ ଫିଲ୍ମ ‘ଶ୍ରୀ’ରେ ପ୍ରଥମେ ଅଭିନୟ କରିଥିଲେ। ଏହାପରେ ତାମିଲ ଫିଲ୍ମ ‘କେଡି’ରେ ସୁଯୋଗ ପାଇଥିଲେ। ଦୁଇବର୍ଷ ପରେ ‘ହାପି ଡେଜ୍‌’ ଏବଂ ‘କାଲୁରି’ରେ ଅଭିନୟ କରି ଜଣେ ସଫଳ କଳାକାରର ପରିଚୟ ଦେଇଥିଲେ। ସ୍ବଳ୍ପ ବୟସରୁ ସେ ତାମିଲ ଓ ତେଲୁଗୁ ଶିକ୍ଷା ଆରମ୍ଭ କରିଥିଲେ।
ହିଟ୍‌ ଫିଲ୍ମ ‘ଆୟନ’, ‘ପାଇୟା’, ‘ସିରୁଥାଇ’, ‘୧୦୦% ଲଭ୍‌’ ଏବଂ ବ୍ଲକବଷ୍ଟର ‘ବାହୁବଳୀ’ରେ ତମନ୍ନାଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣିପାରିଛି। ସେ ‘ହିମ୍ମତଓ୍ବାଲା’, ‘ଏଣ୍ଟରଟେନମେଣ୍ଟ’ ଏବଂ ‘ହମଶକଲ୍‌’ ଭଳି ଫିଲ୍ମରେ ଅଭିନୟ କରି ନିଜ କଳାତ୍ମକ ପ୍ରତିଭା ପ୍ରଦର୍ଶନ କରିପାରିଛନ୍ତି। ଏହି ୩ଟି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ହିଟ୍‌ ହୋଇଛି।

Share