କଲେଜ ଛାତ୍ରୀଙ୍କୁ ଅପହରଣ

 

ଭାପୁର,୧୫ା୧୨(ଡି.ଏନ୍‌.ଏ.): ଫତେଗଡ ଥାନା ଅଞ୍ଚଳର ଜଣେ ବିବାହିତ ଯୁବକ ଯୁକ୍ତ ୨ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ଅପହରଣ କରିନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଫତେଗଡ଼ ଥାନା ଅଞ୍ଚଳର ନାବାଳିକା ଛାତ୍ରୀ ଭାପୁର ବ୍ଲକର ଏକ କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରନ୍ତି। ଛାତ୍ରୀ ଜଣଙ୍କୁ ଫତେଗଡ଼ ପଞ୍ଚାୟତର ଜଣେ ବିବାହିତ ଯୁବକ ଏକତରଫା ପ୍ରେମ କରୁଥିଲେ। ହେଲେ ନାବାଳିକା ଏହାକୁ ବିରୋଧ କରିଆସୁଥିଲେ। ଶନିବାର ସକାଳ ୬ଟା ୩୦ ମିନିଟ୍‌ ସମୟରେ ଛାତ୍ରୀ ଜଣକ ସାଙ୍ଗମାନଙ୍କ ସହ ଟ୍ୟୁଶନ ହେବାକୁ ଯାଉଥିବା ସମୟରେ ୨ଟି ବୋଲେରୋରେ ୮/୧୦ ଜଣ ଯୁବକ ଓ କିଛି ମହିଳା ତାଙ୍କୁ ଜୋରଜବରଦସ୍ତ ଟେକି ନେଇଯାଇଥିଲେ। ଘଟଣାସ୍ଥଳରେ ଛାତ୍ରୀଙ୍କ ସାଇକେଲ ଓ ଚପଲ ପଡ଼ିରହିଥିଲା। ଏ ନେଇ ଛାତ୍ରୀଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୨୧୫/୧୯) ରୁଜୁ କରି ଅପହରଣକାରୀଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି।