କଲଭର୍ଟ ଦବିଲା: କରଡ଼ା-ବାଲାପାଙ୍କା ଯାତାୟାତ ବନ୍ଦ

ରାଇକିଆ,୮ା୯(ଡ଼ି.ଏନ.ଏ)-କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା ଲଗାଣ ବର୍ଷା ଜାରି ରହିଛି । ଶନିବାର ବର୍ଷାରେ କରଡ଼ାରୁ ବାଲାପାଙ୍କାକୁ ସଂଯୋଗ କରୁଥିବା ରାସ୍ତାରେ ଏକ କଲଭର୍ଟ ଦବିଯିବାରୁ ସୋରଡ଼ା ଅଞ୍ଚଳକୁ ଯାନବାହନ ଚଳାଚଳ ବନ୍ଦ ରହିଛି । କଲଭର୍ଟଟି ବିପଦପୂର୍ଣ୍ଣ ଅବସ୍ଥାରେ ଥିବାରୁ ଅଟୋ , ବାଇକ ଚଳାଚଳ ପାଇଁ ମଧ୍ୟ ଲୋକେ ଭୟ କରୁଛନ୍ତି। ଏଥିଯୋଗୁ ସୋରଡ଼ା ସମେତ ଗୋଚ୍ଛା, ବାଲାପାଙ୍କା, ଡ଼ାବିକି, ଅସୁରବନ୍ଧ ଅଞ୍ଚଳକୁ ମଧ୍ୟ ଯାତାୟାତ ହୋଇ ପାରୁନାହିଁ। କରଡ଼ା ଅଞ୍ଚଳର ଅଧିକାଂଶ ଲୋକେ ଦୈନନ୍ଦିନ ବ୍ୟବସାୟ ପାଇଁ ସୋରଡ଼ା ଯାଇଥାନ୍ତି। ଏବେ ତାହା ବନ୍ଦ ହୋଇଯାଇଛି। ଏହି ରାସ୍ତା ଗତ ତିତ୍‌ଲି ବାତ୍ୟାରେ ବ୍ୟାପକ କ୍ଷତି ହୋଇଥିଲା। କାମଚଳା ଭାବେ ରାସ୍ତା ଉପରେ ମୋରମ ପକାଇ ଛାଡ଼ି ଦିଆଯାଇଥିଲା। ତାହା ଏବେ ଲଗାଣ ବର୍ଷାରେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଏ ନେଇ ଗ୍ରାମବାସୀ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜଣାଇବା ସହ ଖୁବ୍‌ଶୀଘ୍ର ନୂତନ ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି।