Categories: ଜାତୀୟ

କର୍ମସ୍ଥଳରେ ବଢ଼ୁଛି ଯୌନ ଶୋଷଣ

ମୁମ୍ବାଇ,୨୧।୬:ଦେଶରେ ‘#ମି ଟୂ’ ଆନ୍ଦୋଳନ ସତ୍ତ୍ୱେ କାର୍ଯ୍ୟସ୍ଥଳରେ ଯୌନ ଶୋଷଣ ରୋକିବା ଲାଗି ଯେଉଁ ବିଧିବ୍ୟବସ୍ଥା ରହିଛି ତାହାକୁ ନିଯୁକ୍ତିଦାତା ଅନୁସରଣ କରୁନାହାନ୍ତି ବୋଲି ୫୦ ପ୍ରତିଶତ କର୍ମଜୀବୀ ମହିଳା ମତ ଦେଇଛନ୍ତି। ନିକଟରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଏହି ସୂଚନା ମିଳିଛି।
ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗନେଇଥିବା ମହିଳାଙ୍କ ମଧ୍ୟରୁ ୫୦%ଙ୍କ ମତ ହେଉଛି ସେମାନଙ୍କ ନିଯୁକ୍ତିଦାତା ଏ ସଂକ୍ରାନ୍ତୀୟ ଅଭିଯୋଗର ବିଚାର ପାଇଁ ଧାର୍ଯ୍ୟ ନୀତିନିୟମକୁ ଅନୁସରଣ କରୁନାହାନ୍ତି। ୪୫ ପ୍ରତିଶତରୁ ଅଧିକ ମହିଳା କହିଥିଲେ, ସେମାନଙ୍କ ସଂସ୍ଥାର ଆଭ୍ୟନ୍ତରୀଣ ଅଭିଯୋଗ ଶୁଣାଣି କମିଟି ନୀତି ନିର୍ଦ୍ଦେଶାବଳୀ ଏବଂ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ନୁହନ୍ତି। ମହିଳାଙ୍କ ଉଦ୍ଦେଶ୍ୟରେ କ୍ୟାରିୟର ଏନହାନ୍ସମେଣ୍ଟ ଇକୋସିଷ୍ଟମ୍‌ ପାଇଁ ସହାୟତା କରୁଥିବା ସଂସ୍ଥା ‘ପିଙ୍କ୍‌ ଲ୍ୟାଡର’ ଦ୍ୱାରା କରାଯାଇଥିବା ସର୍ବେକ୍ଷଣ ରିପୋର୍ଟରୁ ଏହି ସୂଚନା ମିଳିଛି।
ଦେଶର ବେଙ୍ଗାଲୁରୁ, ମୁମ୍ବାଇ, ଚେନ୍ନାଇ ଏବଂ ଦିଲ୍ଲୀର ୮୦ଟି ସଂସ୍ଥାରେ ନିୟୋଜିତ ମହିଳା କର୍ମଜୀବୀଙ୍କ ମଧ୍ୟରୁ ୨୦୦ ମହିଳାଙ୍କୁ ନେଇ ଏକ ସର୍ବେକ୍ଷଣ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଏହିସବୁ ସଂସ୍ଥାଗୁଡିକ ନିୟମିତ ବ୍ୟବଧାନରେ ସଚେତନତା କର୍ମଶାଳା, ବିଚାର ମଞ୍ଚ, ଆଲୋଚନା ଏବଂ ବିତର୍କ ଆଦି ମାଧ୍ୟମରେ ଯୌନ ଶୋଷଣ ଉପରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ଏଥିପାଇଁ ପ୍ରଥମ ପଦକ୍ଷେପ ହେଉଛି ବର୍ତ୍ତମାନର ଆଇନ ସମ୍ପର୍କରେ ସଚେତନ ହେବା। ୫୬ ପ୍ରତିଶତ ମହିଳାଙ୍କ ମତ ହେଉଛି, ଏଇ କିଛିବର୍ଷ ହେଲା କାର୍ଯ୍ୟସ୍ଥଳରେ ଯୌନ ନିର୍ଯାତନା ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ୫୩ ପ୍ରତିଶତ ମହିଳା କହନ୍ତି, ସେମାନଙ୍କୁ ଅଫିସରେ ଅଯଥା କମେଣ୍ଟ ମରାଯିବା ସାଙ୍ଗକୁ ଆଲିଙ୍ଗନ ଏବଂ ଥଟ୍ଟା, ମଜା କରାଯାଉଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କାର୍ଯ୍ୟସ୍ଥଳରେ ଯୌନ ନିର୍ଯାତନା ନିରୋଧୀ ନୀତି ବିଷୟରେ ୮୦% ମହିଳା ସଚେତନ ଅଛନ୍ତି। ଅପରପକ୍ଷରେ ପାଖାପାଖି ୩୦% ମହିଳା ଆଭ୍ୟନ୍ତରୀଣ କମିଟିରେ ଅଭିଯୋଗ କରିବାକୁ ଦ୍ୱିଧାବୋଧ କରନ୍ତି। ଏଭଳି ଘଟଣାର ସମ୍ମୁଖୀନ ହେଉଥିଲେ ହେଁ ୫୩ ପ୍ରତିଶତ ମହିଳା ଭାବନ୍ତି ସେମାନେ ବର୍ତ୍ତମାନ ସଂସ୍ଥାରେ ବେଶିଦିନ ରହିବାର ନାହିଁ।

Share