Categories: ଜାତୀୟ

କର୍ନାଟକ ବିଧାୟକ ଅଯୋଗ୍ୟ ଘୋଷଣା ମାମଲା: ୟେଦୁରପ୍ପାଙ୍କ ଅଡିଓ କ୍ଲିପ୍‌କୁ ରେକର୍ଡ ଭାବେ ନେବାକୁ କଂଗ୍ରେସର ଅନୁରୋଧ

ନୂଆଦିଲ୍ଲୀ,୫ା୧୧(ପି.ଟି.): କର୍ନାଟକର ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିଲାବେଳେ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କ ଅଡିଓ କ୍ଲିପ୍‌କୁ ରେକର୍ଡ ଭାବେ ଗ୍ରହଣ କରିବା ଲାଗି ରାଜ୍ୟ କଂଗ୍ରେସ ଅଦାଲତଙ୍କୁ ଅନୁରୋଧ କରିଛି। ବିଦ୍ରୋହୀ କଂଗ୍ରେସ ଓ ଜେଡିଏସ୍‌ ବିଧାୟକଙ୍କୁ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କ ତତ୍ତ୍ୱାବଧାନରେ ମୁମ୍ବାଇର ଏକ ହୋଟେଲରେ ରଖାଯାଇଥିଲା ବୋଲି ୟେଦ୍ୟୁରପ୍ପା ଉକ୍ତ ଅଡିଓ କ୍ଲିପ୍‌ରେ କହିଥିବା କଂଗ୍ରେସ ଅଭିଯୋଗ କରିଛି। ପରେ ଏହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହାର ଶୁଣାଣି ଲାଗି ସ୍ବତନ୍ତ୍ର ଖଣ୍ଡପୀଠ ଗଠନ ନିମନ୍ତେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ସହ ପରାମର୍ଶ କରିବେ ବୋଲି ଜଷ୍ଟିସ୍‌ ଏନ୍‌.ଭି. ରମାନାଙ୍କ ଖଣ୍ଡପୀଠ କହିଛନ୍ତି। ଅନ୍ୟପକ୍ଷରେ ୧୭ ବିଧାୟକ ଅଯୋଗ୍ୟ ଘୋଷିତ ହେବା ପଛରେ ଭାଜପାର କୌଣସି ଭୂମିକା ନାହିଁ ବୋଲି ୟେଦୁରପ୍ପା କହିଛନ୍ତି। ନିଷ୍ପତ୍ତି ନେବାର ସ୍ବାଧୀନତା ବିଧାୟକମାନଙ୍କର ରହିଥିବା ସେ ମତ ଦେଇଛନ୍ତି।
ଆସ୍ଥା ଭୋଟ ବେଳେ ସମ୍ପୃକ୍ତ ବିଧାୟକମାନଙ୍କ ଅନୁପସ୍ଥିତି ଯୋଗୁ କଂଗ୍ରେସ-ଜେଡିଏସ୍‌ ସରକାରର ପତନ ଘଟିଥିଲା। ଫଳରେ ୟେଦୁରପ୍ପାଙ୍କ ନେତୃତ୍ୱରେ ଭାଜପା କର୍ନାଟକରେ ସରକାର ଗଢ଼ିଥିଲା। ୧୭ ଅଯୋଗ୍ୟ ଘୋଷିତ ବିଧାୟକଙ୍କ ମଧ୍ୟରୁ ୧୫ ଆସନରେ ଡିସେମ୍ବର ୫ରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।

Share