Categories: ଜାତୀୟ

କର୍ନାଟକ ଉପନିର୍ବାଚନ: ୬୭% ମତଦାନ

ବେଙ୍ଗାଲୁରୁ, ୬।୧୨(ଆଇଏଏନ୍‌ଏସ୍‌):କର୍ନାଟକର ୧୫ ବିଧାନସଭା ଆସନ ଲାଗି ଗୁରୁବାର କଡ଼ା ସୁରକ୍ଷା ମଧ୍ୟରେ ଭୋଟଗ୍ରହଣ କରାଯାଇଥିବାବେଳେ ମତଦାନ ହାର ୬୭ ପ୍ରତିଶତ ହୋଇଥିବା ଜଣାପଡ଼ିଛି। ସବୁଠାରୁ ଅଧିକ ମତଦାନ ଚିକ୍କାବାଲାପୁରାରେ(୭୯.୮%) ହୋଇଛି। ସବୁଠାରୁ କମ୍‌ ଭୋଟ(୩୭.୫%) ବେଙ୍ଗାଲୁରୁର କେ.ଆର୍‌. ପୁରମ୍‌ରେ ପଡ଼ିଛି। ମହାଲକ୍ଷ୍ମୀରେ ୪୦.୪୭% ଓ ଶିବାଜୀନଗରରେ ୪୧.୧୩% ମତଦାନ କରାଯାଇଛି। ମତଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି। ୧୨୬ ସ୍ବାଧୀନ, ୯ ମହିଳା ପ୍ରାର୍ଥୀଙ୍କୁ ମିଶାଇ ମଇଦାନରେ ଥିବା ମୋଟ ୧୬୫ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ ରହିଛି। ଭାଜପା ଓ କଂଗ୍ରେସ ପକ୍ଷରୁ ସମସ୍ତ ୧୫ଟି ଆସନ ଲାଗି ପ୍ରାର୍ଥୀ ଦିଆଯାଇଥିବାବେଳେ ଜେଡିଏସ୍‌ ୧୨ ଆସନରେ ଲଢ଼ୁଛି।
ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ ଅଠାଣିରେ ୭୦.୭୩%, କାଗ୍‌ଓ୍ବାଡ୍‌ରେ ୬୯.୭୬%, ଗୋକାକ୍‌ରେ ୬୬.୬୪%, ୟେଲାପୁରମ୍‌ରେ ୭୨.୨୩%, ହିରେକେରୁର୍‌ରେ ୭୨.୪୨%, ରାନେବେନୁର୍‌ରେ ୬୭.୯୨%, ବିଜୟନଗରରେ ୫୮.୯୩%, ୟେଶଓ୍ବନ୍ତପୁରରେ୪୮.୩୪%, ହୋସ୍‌କୋଟେରେ ୭୬.୧୯%, କେ.ଆର୍‌. ପେଟେରେ ୭୫.୮୭%, ହୁନ୍‌ସୁର୍‌ରେ ୭୪.୪୭% ମତଦାନ କରାଯାଇଥିବା ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି। କଂଗ୍ରେସ ଓ ଜେଡିଏସ୍‌ର ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ଏହିସବୁ ଆସନଗୁଡ଼ିକ ଖାଲି ପଡ଼ିଥିଲା। ଏଥିସହ ଏଚ୍‌.ଡି. କୁମାରସ୍ବାମୀ ସରକାରର ପତନ ହୋଇଥିଲା। ଅଯୋଗ୍ୟ ଘୋଷିତ ବିଧାୟକଙ୍କ ମଧ୍ୟରୁ ୧୩ ଏବେ ଭାଜପା ପ୍ରାର୍ଥୀ ହୋଇଥିବାବେଳେ ନିର୍ବାଚନ ଫଳାଫଳ ସରକାରଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଶାସକ ଭାଜପା ୧୦୫ ଆସନ ହାତେଇ ଥିବାବେଳେ ଆଉ ୭ ଆସନ ଆବଶ୍ୟକ କରୁଛି। ୨୨୩ ଆସନବିଶିଷ୍ଟ ରାଜ୍ୟ ବିଧାନସଭାରେ ମ୍ୟାଜିକ୍‌ ନମ୍ବର (୧୧୨) ଛୁଇଁବା ଲାଗି ଉପନିର୍ବାଚନରେ ଭାଜପାକୁ ୭ଟି ଆସନ ହାତେଇବାକୁ ପଡ଼ିବ। ନଚେତ୍‌ ସରକାର ଭାଙ୍ଗିଯିବାର ଆଶଙ୍କା ରହିଛି। ଏଥିଲାଗି ଉପନିର୍ବାଚନରେ ବିରୋଧୀ ନେତାମାନେ ଜୋର୍‌ଦାର ପ୍ରଚାର କରିଥିଲେ। ଭୋଟ ଗଣତି ୯ରେ ହେବାକୁ ଥିବାବେଳେ ଫଳାଫଳ କ’ଣ ହେବ ତାହା ସମୟ ହିଁ କହିବ।

Share