କର୍ନାଟକର କୋଭିଡ୍‌ ମୁକାବିଲା : ୧୬୧୦ କୋଟିର ପ୍ୟାକେଜ୍‌ ଘୋଷଣା

ବେଙ୍ଗାଲୁରୁ,୭ା୫(ପି.ଟି.): ଲକ୍‌ଡାଉନ ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଲୋକମାନଙ୍କ ସହାୟତା ଲାଗି କର୍ନାଟକ ସରକାର ବୁଧବାର ୧୬୧୦ କୋଟି ଟଙ୍କାର ରିଲିଫ୍‌ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର କୃଷକ, ଫୁଲଚାଷୀ, ଧୁଲେଇ କର୍ମଚାରୀ, ଅଟୋରିକ୍ସା ଓ ଟ୍ୟାକ୍ସି ଚାଳକ, ଏମ୍‌ଏସ୍‌ଏମ୍‌ଇ, ବୃହତ୍‌ ଶିଳ୍ପ, ବୁଣାକାର, ନିର୍ମାଣ ଶ୍ରମିକ ଓ ବାରିକମାନେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ପ୍ୟାକେଜ୍‌ ଘୋଷଣା କରିବା ଅବସରରେ କହିଛନ୍ତି। ରାଜ୍ୟ ସରକାର ଉତ୍ପାଦ ଶୁଳ୍କକୁ ୧୧ ପ୍ରତିଶତ ବୃଦ୍ଧି କରିଛନ୍ତି। ଫୁଲଚାଷୀମାନଙ୍କୁ ହେକ୍ଟର ପିଛା ୨୫,୦୦୦ ଟଙ୍କା କ୍ଷତିପୂରଣ ଯୋଗାଇଦିଆଯିବ। ସେହିପରି ରଜକ, ବାରିକ, ଅଟୋ ଓ ଟ୍ୟାକ୍ସି ଚାଳକଙ୍କୁ ମଧ୍ୟ ୫୦୦୦ ଟଙ୍କା ଲେଖାଏ ମିଳିବ। ବୁଣାକାରମାନଙ୍କର ୨୯ କୋଟି ଟଙ୍କା ଋଣ ଛାଡ଼ ହୋଇଥିବାବେଳେ ଆଉ ୮୦ କୋଟି ତୁରନ୍ତ ଛାଡ଼ କରିବାକୁ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବା ପାଇଁ ଟ୍ରେନ୍‌ ଯୋଗାଇଦେବା ଅନୁରୋଧକୁ ସରକାରର ପ୍ରତ୍ୟାହାର କରିନେଇଛନ୍ତି। ଶ୍ରମିକମାନେ ପଳାଇଗଲେ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ବିଲ୍ଡରମାନେ କହିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

Share