କର୍ନାଟକରେ ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରିଥିବା ୫ଜଣ ବ୍ୟକ୍ତି କରୋନା ପଜିଟିଭ୍‌: ଜେଲରୁ ଗଲେ ହସ୍ପିଟାଲ

ବେଙ୍ଗାଲୁରୁ,୨୪।୪: ବେଙ୍ଗାଲୁରୁର ପଦାରାୟଣପୁରା ଅଞ୍ଚଳର ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଗତ ସପ୍ତାହରେ ୫ଜଣଙ୍କୁ ଗିରଫ କରାଯାଇଥିଲା। ଏବେ ଏହି ୫ଜଣଙ୍କର କରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି। ରିପୋର୍ଟ ଆସିବା ପରେ ସେମାନଙ୍କୁ ଜେଲରୁ ସିଧା ହସ୍ପିଟାଲକୁ ପଠାଯାଇଛି। ସୂଚନା ମୁତାବକ ଏପ୍ରିଲ ୧୯ରେ ପଦାରାୟଣପୁରାରେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବା ପାଇଁ ଯାଇଥିବା ସ୍ବାସ୍ଥ୍ୟକର୍ମୀ ଓ ପୋଲିସଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ପ୍ରାୟ ୧୨୬ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଏହାପରେ ସେମାନଙ୍କୁ ରାମନଗର ସ୍ଥିତ ଜେଲକୁ ନ୍ୟାୟିକ ହେପାଜତରେ ପଠାଇ ଦିଆଯାଇଥିଲା। ତେବେ ଜେଲରେ କଏଦୀଙ୍କ କରୋନା ଯାଞ୍ଚ କରାଯାଉଥିବା ବେଳେ ଏହି ୫ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା ବୋଲି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସି.ଏନ୍‌. ଅଶ୍ୱଥନାରାୟଣ ସୂଚନା ଦେଇଛନ୍ତି।

Share