କରୋନ ସରକାରୀ ସହାୟତା ପାଇବ କିଏ: ମହାଜନଙ୍କ ପାଖରେ ବନ୍ଧକ ପଡ଼ିଛି ଗରିବଙ୍କ ରାଶନ କାର୍ଡ

କୋଲକତା,୨୦।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଭାରତ ସରକାର ଦେଶବ୍ୟାପୀ ଲକ୍‌ ଡାଉନ୍‌ ଜାରି କରିଛନ୍ତି। ତେବେ ଗରିବ, ଦିନ ମଜୁରିଆ, ବିପିଏଲ୍‌. ଶ୍ରମିକ ଆଦିଙ୍କ ପାଇଁ ସରକାର କରୋନା ସହାୟତା ଘୋଷଣା କରିଛନ୍ତି। ରାଶନ କାର୍ଡ ଥିବା ଲୋକଙ୍କୁ ଏକ ହଜାର ଟଙ୍କା ସହିତ ଆବଶ୍ୟକ ଖାଦ୍ୟ ପଦାର୍ଥ ଯୋଗାଇ ଦିଆଯାଉଛି। ତେବେ ପଶ୍ଚିମବଙ୍ଗ ପୁରୁଲିଆ ଜିଲାର ବହୁ ଜନଜାତି ବହୁଳ ଗ୍ରାମରେ ଏହି ସୁବିଧା ସୁଯୋଗ ଗରିବଙ୍କୁ ମିଳିବ ନାହିଁ। ଏଠାକାର ଅଧିକାଂଶ ଗରିବ ଲୋକ ଆବଶ୍ୟକ ସମୟରେ ଟଙ୍କା ପାଇଁ ନିଜ ନିଜର ରାଶନ କାର୍ଡ ସ୍ଥାନୀୟ ମହାଜନଙ୍କ ପାଖରେ ବନ୍ଧକ ରଖିଛନ୍ତି। ମହାଜନ ଟଙ୍କା ଫେରସ୍ତ ପାଇଲେ ସମ୍ପୃକ୍ତ ଲୋକଙ୍କୁ ରାଶନ କାର୍ଡ ଦେବ। ବନ୍ଧକ ସମୟରେ ସମସ୍ତ ସରକାରୀ ସୁବିଧା ସୁଯୋଗ ମହାଜନମାନେ କାର୍ଡ ଦ୍ୱାରା ହିଁ ପାଇବେ। କରୋନା ସହାୟତା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୬ ମାସ ପାଇଁ ଲୋକଙ୍କୁ ମାଗଣାରେ ଡାଲି, ଚାଉଳ ଦେବାକୁ ଘୋଷଣା କରିଛନ୍ତି। ତେବେ ଏହାର ସୁଫଳ ସିଧାସଳଖ ମହାଜନମାନଙ୍କ ପାଖଖୁ ଯିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ମହାଜନମାନେ ଇତିମଧ୍ୟରେ କାର୍ଡ ଦ୍ୱାରା ମିଳୁଥିବା ଏକ ହଜାର ଟଙ୍କା ଉଠାଇ ସାରିଛନ୍ତି। ଏହା ସହିତ ମାଗଣା ଡାଲି ଚାଉଳ ମଧ୍ୟ ନେଇ ସାରିଛନ୍ତି। ଏବେ ରାଶନ କାର୍ଡକୁ ଆଧାର ସହିତ ଲିଙ୍କ୍‌ କରାଯାଇଥିଲେ ମଧ୍ୟ ଏଭଳି କାର୍ଯ୍ୟ କିଭଳି ସମ୍ଭବ ହେଉଛି ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସ୍ଥାନୀୟ ନେତା, ପ୍ରଶାସନ ତଥା କଣ୍ଟ୍ରୋଲ ଡିଲରଙ୍କୁ ଏସମ୍ପର୍କରେ ଜଣାଥିଲେ ମଧ୍ୟ ଗରିବଙ୍କ ସରକାରୀ ସହାୟତା ଲୁଟ ହେଉଥିବା କୁହାଯାଉଛି।

Share