Categories: ଖେଳ

କରୋନା ଭାଇରସ ମୁକାବିଲାରେ ସାହାଯ୍ୟ କରିବାକୁ ଆଇଓଏର ପ୍ରତିଶ୍ରୁତି

ନୂଆଦିଲ୍ଲୀ, ୩୦।୩ (ପି.ଟି.): ଦେଶ ତଥା ସାରା ବିଶ୍ୱରେ କରୋନା ଭାଇରସ ଆତଙ୍କ ଚାଲୁ ରହିଥିବା ବେଳେ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ଏହାର ମୁକାବିଲାରେ ସହାୟତା କରିବା ପାଇଁ ଆଗକୁ ଆସିଛି। ଦେଶରେ ସ୍ବାସ୍ଥ୍ୟ ସଙ୍କଟ ଦେଖା ଦେଇଥିବା ବେଳେ ଆଇଓଏ ସମର୍ଥନ ଓ ସହାୟାତ କରିବାକୁ ପ୍ରତିଶ୍ରୁତି ଦେଇଛି। କେବଳ ସେତିକି ନୁହେଁ ସବୁ ଜାତୀୟ ସ୍ପୋଟର୍‌ସ ଫେଡେରେଶନ ଓ ରାଜ୍ୟ ଅନୁବନ୍ଧିତ ସଂଗଠନଗୁଡିକ ମଧ୍ୟ ସହାଯ୍ୟ କରିବେ ବୋଲି ଆଇଓଏ କହିଛି।
ଆଇଓଏର ଟୁଇଟର ହ୍ୟାଣ୍ଡଲ୍‌ରେ ଆସୋସିଏଶନ ସମ୍ପାଦକ ରାଜୀବ ମେହେଟା କରୋନା ଭାଇରସ ଲଢେଇରେ ଆଗରେ ରହି କାର୍ଯ୍ୟକରୁଥିବା ସବୁ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜୀବନକୁ ବାଜି ଲଗାଇ ଏମାନେ କାର୍ଯ୍ୟକରୁଛନ୍ତି। ତେଣୁ ଏମାନେ ପ୍ରଶଂସାର ପାତ୍ର ବୋଲି ସେ କହିଛନ୍ତି। ସାଇକ୍ଲିଂ ଫେଡେରେଶନ ଓ ଭାରତୀୟ ଗଲ୍ଫ ୟୁନିୟନ (ଆଇଜିୟୁ) ମଧ୍ୟ ଆର୍ଥତ୍କ ସହାୟତା ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଆଇଓଏ ଆଉ ଏକ ଟୁଇଟ କରି ସୂଚନା ଦେଇଛି। କେନ୍ଦ୍ର ସରକାର ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରିଛନ୍ତି। ଆଇଜିୟୁ ଅଧ୍ୟକ୍ଷ ତଥା ଅବରସପ୍ରାପ୍ତ ଲ୍ୟୁଟନାଣ୍ଟ ଜେନେରାଲ ଡି. ଅନ୍‌ବୁ ୧୦ ଲକ୍ଷ ଟଙ୍କା ଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆଇଓଏ ଓ ତା’ର ସବୁ ସଭ୍ୟ ଜାତୀୟ ଫେଡେରେଶନ ଓ ରାଜ୍ୟ ଅଲିମ୍ପିକ୍‌ ଆସୋସିଏଶନ ଏହି ଗୁରୁତ୍ୱପୂର୍ଣ୍ଣ ଲଢେଇରେ ସାମଲ ହେବେ ବୋଲି ମେହେଟା କହିଛନ୍ତି।

Share