କରୋନା ହେଲେ ବେଲଗାମ: ୩ ମାସରେ ଆମେରିକାରେ ୯୪ ଲକ୍ଷ ଲୋକ ହେବେ ସଂକ୍ରମିତ !

ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣ ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଆମେରିକାରେ ଧୀରେଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସରକାର କରୋନା ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ, ଆମେରିକାରେ କରୋନା ଯଦି ବେଲଗାମ ହୁଏ ତେବେ ୯୪ ଲକ୍ଷ ଲୋକ ଏହାଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ରହିଛି। ଅପରପକ୍ଷରେ ଏହା ନିୟନ୍ତ୍ରିତ ହେଲେ ମଧ୍ୟ ଏହାର ୫୦ ପ୍ରତିଶତ ଲୋକ ଅର୍ଥାତ୍‌ ପ୍ରାୟ ୪୭ ଲକ୍ଷ ଲୋକ ସଂକ୍ରମିତ ହେବେ। ଦି ନ୍ୟୁୟର୍କ ଟାଇମ୍ସ୍‌ ଏବଂ ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏଭଳି କୁହାଯାଇଛି। ଆସନ୍ତା ଜୁଲାଇ ସୁଦ୍ଧା ଆମେରିକାରେ ଏଭଳି ସ୍ଥିତି ହେବାର ଆଶଙ୍କା ରହିଛି। ସେହିଭଳି ଯଦି ବର୍ତ୍ତମାନ ସ୍ଥିତି ଲାଗି ରୁହେ ତେବେ ଏକ ମାସ ମଧ୍ୟରେ ୬୭ ଲକ୍ଷ ଲୋକ କରୋନା ଦ୍ୱାରା ସଂକ୍ରମିତ ହେବେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ସମ୍ପ୍ରତି ଆମେରିକାରେ ୧୯୦୦୦ କରୋନାର ଦ୍ୱାରା ସଂକ୍ରମିତ ହୋଇଥିବାବେଳେ ୨୩୦ରୁ ଅଧିକଙ୍କ ମୃତ୍ୟୁ ଘଟିଛି। ସ୍ଥିତିକୁ ନିୟନ୍ତ୍ରଣ କରା ନ ଗଲେ ଅଗାମୀ ଦିନରେ ୨ ଲକ୍ଷ ୬୧ ହଜାରରୁ ଅଧିକ ଲୋକଙ୍କୁ ଆଇସିୟୁରେ ରଖିବାକୁ ପଡ଼ିବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।

Share