କରୋନା ସ୍ଥିତି ସମୀକ୍ଷା, ହାଟବଜାର ପରିଦର୍ଶନ କଲେ ଉପଜିଲାପାଳ

ବିଜେପୁର, ୨୫।୩(ଡି.ଏନ୍‌.ଏ.): କରୋନା ପାଇଁ ଚାରିଆଡ଼େ ଭୟର ବାତାବରଣ ଖେଳିଯାଇଛି। ଏହାକୁ ପ୍ରତିହତ କରିବାର ଏକମାତ୍ର ମାଧ୍ୟମ ହେଲା ଜନଗହଳିରୁ ଦୂରେଇ ରହିବା। ଏହି କ୍ରମରେ ବରଗଡ଼ ଜିଲା ବିଜେପୁର ବ୍ଲକରେ ବୁଧବାର ପଦ୍ମପୁର ଉପଜିଲାପାଳ ତନ୍ମୟ କୁମାର ଦର୍‌ଓ୍ବାନ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି। ପୂର୍ବାହ୍ନରେ ସେ ପ୍ରଥମେ ଅସ୍ଥାୟୀ ଭାବେ ବସୁଥିବା ହାଇସ୍କୁଲ ପଡ଼ିଆର ଡେଲି ମାର୍କେଟକୁ ଯାଇଥିଲେ। ବ୍ୟବସାୟୀଙ୍କ ମଧ୍ୟରେ ୪ଫୁଟ ବ୍ୟବଧାନ ରଖିବା ସହ ଗହଳି ନ କରିବାକୁ ପରାମର୍ଶ ଦେଇଥିଲେ। ସ୍ଥାନୀୟ ଏନ୍‌ଏସିର ବିଭିନ୍ନ ରାଶନ ଦୋକାନ ପରିଦର୍ଶନ କରିବା ସହ ସକାଳ ୭ଟାରୁ ଅପରାହ୍ନ ୪ଟାଯାଏ ଖୋଲା ରଖିବାକୁ ପରାମର୍ଶ ଦେଇଥିଲେ। ବିଦେଶୀ ଓ ଦେଶୀ ମଦ ଦୋକାନ ପରିଦର୍ଶନ କରିବା ସହ ଆଗାମୀ ୨୯ ତାରିଖ ଯାଏ ଏହାକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଉପଜିଲାପାଳ ହସ୍ପପିଟାଲ ପରିସରରେ ଥିବା ଆହାର କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ଦେଖିଥିଲେ। ଏନ୍‌ଏସି ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ମାତ୍ର ୪/୫ଜଣ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିଛନ୍ତି। ସେହିପରି ୨୩ ପଞ୍ଚାୟତବିଶିଷ୍ଟ ଏହି ବ୍ଲକରେ ବୁଧବାର ମଧ୍ୟାହ୍ନ ସୁଦ୍ଧା ୧୫୦ଜଣ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିଥିବା ବ୍ଲକ ପ୍ରଶାସନ ପକ୍ଷରୁ ଜଣାପଡିଛି। ବିଡିଓ ପଦ୍ମନାଭ ସାମନ୍ତରାୟ, ତହସିଲଦାର କୁଳମଣି ରଣବିଡା, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୁକ୍ମଣ ମେହେର ପ୍ରମୁଖ ଉପଜିଲାପାଳଙ୍କ ସହ ପରିଦର୍ଶନରେ ସାମିଲ ହୋଇଥିଲେ।