କରୋନା ସହାୟତା: ୧ ଲକ୍ଷ ଟଙ୍କା ଦେଲେ ମନୁ ଭାକର

ନୂଆଦିଲ୍ଲୀ,୩୦।୩(ପି.ଟି.): ଶୁଟିଂ ସେନସେଶନ ମନୁ ଭାକର କାରୋନା ଭାଇରସ ମୁକାବିଲା ପାଇଁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି। ସେ ହରିୟାଣା ସରକାରଙ୍କୁ ଏହି ଅର୍ଥ ପ୍ରଦାନ କରିଛନ୍ତି। ହରିୟାଣାର ଝାଜ୍ଜର ଜିଲରେ ଜନ୍ମ ଗ୍ରହଣ କରିଥିବା ୧୮ ବର୍ଷୀୟ ଏହି ମହିଳା ଶୁଟର ଭାକର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ୟୁଥ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। କରୋନା ଭାଇରସକୁ ସଫଳତାର ସହ ମୁକାବିଲା କରିବା ଆମର କର୍ତ୍ତବ୍ୟ। ତେଣୁ ଏଥିପାଇଁ ସରକାରଙ୍କ କରୋନ କେସେସ୍‌ ଫଣ୍ଡକୁ ଲକ୍ଷେ ଟଙ୍କା ଦାନ କରୁଛି ବୋଲି ସେ ହିନ୍ଦିରେ ଟୁଇଟ୍‌ କରିଛନ୍ତି। ଦେଶ ତଥା ବିଶ୍ୱରେ ଦେଖା ଦେଇଥିବା ଏହି ସ୍ବାସ୍ଥ୍ୟ ସଙ୍କଟରେ ସମସ୍ତେ ସାମର୍ଥ୍ୟ ଅନୁଯାୟୀ କିଛି ଦାନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
କରୋନା ଭାଇରସ୍‌ରେ ସାରା ବିଶ୍ୱରେ ୭,୦୦,୦୦୦ ଲୋକେ ସଂକ୍ରମିତ ହୋଇଛନ୍ତି ଓ ଏପର୍ଯ୍ୟନ୍ତ ୩୪,୦୦୦ ଲୋକ ଏହି ଭାଇରସ ସଂକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି। ଭାରତରେ ଏଥିରେ ୧,୦୦୦ ଲୋକ ସଂକ୍ରମିତ ହୋଇଥିବା ବେଳେ ୨୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ଭାକର ସଦ୍ୟତମ କ୍ରୀଡ଼ାବିତ୍‌ ଭାବେ ଏହି ଭାଇରସ୍‌ ମୁକାବିଲା ପାଇଁ ଅର୍ଥଦାନ କରିଛନ୍ତି। ପୂର୍ବରୁ ସଚିନ ତେନ୍ଦୁଲକର ୫୦ ଲକ୍ଷ, ସୁରେଶ ରାଇନା ୫୨ ଲକ୍ଷ ଟଙ୍କା ଦାନ କରିଥିଲେ। ସେହିପରି ମହିଳା ବ୍ୟାଡମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ, ସ୍ପ୍ରିଣ୍ଟର ହିମା ଦାସ ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଏହି ଭାଇରସ ମୁକାବିଲା ପାଇଁ ଅର୍ଥ ଦାନ କରିଛନ୍ତି।

Share