କରୋନା ସହାୟତା: ୧୬ ବର୍ଷୀୟା ମହିଳା କ୍ରିକେଟର ରିଚା ଦାନ କଲେ ୧ ଲକ୍ଷ ଟଙ୍କା

କୋଲକାତା, ୨୯।୩(ପି.ଟି.): କୋଭିଡ-୧୯ ସଂକ୍ରମଣ ବିରୋଧରେ ଦେଶରେ ଲଢେଇ ଚାଲିଥିବା ବେଳେ ୧୬ ବର୍ଷୀୟା ଭାରତୀୟ ମହିଳା କ୍ରିକେଟର ରିଚା ଘୋଷ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ଚଳିତ ମାସ ପ୍ରାରମ୍ଭରେ ଭାରତୀୟ ମହିଳା ଟି୨୦ ଦଳ ତରଫରୁ ଏହି ଅଲରାଉଣ୍ଡର ପ୍ରତିନିଧିତ୍ୱ କରିଛନ୍ତି। କରୋନା ଭାଇରସ ବିପକ୍ଷରେ ଲଢେଇ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସେ ଏହି ଅର୍ଥ ପ୍ରଦାନ କରିଛନ୍ତି।
ରିଚାଙ୍କ ପିତା ମାନବେନ୍ଦ୍ର ଘୋଷ ସିଲିଗୁଡି ଜିଲାର ମାଜିଷ୍ଟ୍ରେଟ ସୁମନ୍ତ ସହାୟଙ୍କ ତାଙ୍କ ବାସଭବନରେ ଏକ ଲକ୍ଷ୍ୟ ଟଙ୍କାରେ ଚେକ୍‌ ପ୍ରଦାନ କରିଛନ୍ତି ବୋଲି କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି) ତରଫରୁ କୁହାଯାଇଛି। କରୋନା ଭାଇରସ ବିପକ୍ଷ ଲଢେଇ ପାଇଁ ଦେଶର ଜଣେ ଦାୟିତ୍ୱସମ୍ପନ୍ନ ନାଗରିକ ହିସାବରେ କିଛି ଅର୍ଥ ଦାନ ଦେବାକୁ ନିଷ୍ପତ୍ତି ନେଇଥିଲି ବୋଲି ରିଚା କହିଛନ୍ତି। ଗତ ଟି୨୦ ବିଶ୍ୱକପ୍‌ରେ ଫାଇନାଲ ସମେତ ସେ ଦୁଇଟି ମ୍ୟାଚ୍‌ ଖେଳିଥିଲେ। ମାର୍ଚ୍ଚ ୮ ତାରିଖରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଭାରତ ୮୫ ରନରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇ ରନର୍ସଅପ ହୋଇଥିଲା।
୬୬ଜଣ ଏସିଏବି ମ୍ୟାଚ୍‌ ଅବଜରଭର ଦେଢ ଲକ୍ଷ ଟଙ୍କା ଓ ୮୨ ଜଣ ସ୍କୋରର ୭୭, ୪୨୦ ଟଙ୍କା ଏକାଠି କରି ଦାନ କରିଛନ୍ତି ବୋଲି ସିଏବି ସୂଚନା ଦେଇଛି। ସେହିପରି ସିଏବିରେ ମହମ୍ମଡାନ ସ୍ପୋର୍ଟିଂର ପ୍ରତିନିଧି ଦୀପକ ସିଂ ୨ ଲକ୍ଷ, ପୂର୍ବତନ ମହିଳା ଟେଷ୍ଟ ଖେଳାଳି ମିଥୁ ମୁଖାର୍ଜୀ ୨୫,୦୦୦, ୨୩ ବର୍ଷରୁ କମ୍‌ ବେଙ୍ଗଲ ମହିଳା ଦଳ କୋଚ୍‌ ଜୟନ୍ତ ଘୋଷ ଦସ୍ତିଦାର ୧୦,୦୦୦, ସିଏବିର ଅନୁବନ୍ଧିତ କ୍ଲବ ହ୍ବାଇଟ୍‌ ବର୍ଡର ଓ ବିଜୟ ସ୍ପୋଟର୍‌ସ କ୍ଲବ ୨୫ ହଜାର ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି ବୋଳି ସିଏବି କହିଛି।

Share