ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବାଗ୍‌ଚୀ ଦମ୍ପତ୍ତି ଦେଲେ ଅଢ଼େଇ କୋଟି

ଭୁବନେଶ୍ୱର,୫।୬(ବ୍ୟୁରୋ):ଦକ୍ଷତା ବିକାଶ ଅଥରିଟିର ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ ଏବଂ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷ ସୁସ୍ମିତା ବାଗ୍‌ଚୀ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅଢ଼େଇ କୋଟି ଟଙ୍କା ପ୍ରଦାନ କରିଛନ୍ତି। କରୋନା ବିପକ୍ଷରେ ଲଢେଇ ଲାଗି ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଜରିଆରେ ବାଗ୍‌ଚୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏହି ଚେକ୍‌ ପ୍ରଦାନ କରିଛନ୍ତି। ଏହି ବିଶ୍ୱ ସଙ୍କଟ ସମୟରେ ଲୋକଙ୍କ ଜୀବନ ଏବଂ ଜୀବିକା ବଞ୍ଚାଇବା ସକାଶେ ବାଗ୍‌ଚୀ ଏହି ଅର୍ଥ ପ୍ରଦାନ କରିଥିବା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏହି ରାଶି ବଲାଙ୍ଗୀର ଜିଲା ଲାଗି କରୋନା ରିଲିଫ ଭାବେ ବ୍ୟବହାର କରାଯିବ। ବାଗ୍‌ଚୀ ବଲାଙ୍ଗୀର ଜିଲାରେ ଜନ୍ମଗ୍ରହଣ କରିଛନ୍ତି। ଅନ୍ୟପଟେ ତାଙ୍କ ସ୍ତ୍ରୀ ସୁସ୍ମିତା ବାଗ୍‌ଚୀ ପ୍ରଥମେ ବଲାଙ୍ଗୀର ଜିଲାର ଏକ ସରକାରୀ ବିଦ୍ୟାଳୟରେ ନାମ ଲେଖାଇଥିଲେ।