କରୋନା ସମୟରେ ମହିଳାଙ୍କୁ ରକ୍ତଦେଇ ଜୀବନ ବଞ୍ଚାଇଲେ ଯୁବକ

ବେଗୁନିଆପଡ଼ା,୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ନୂଆଗଡ଼ ଗ୍ରାମର ଲତା ବେହେରା ମଙ୍ଗଳବାର ରାତିରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ପରିବାର ପକ୍ଷରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ନିଆଗଲା। ଡାକ୍ତର ତୁରନ୍ତ ୩ ବୋତଲ ରକ୍ତ ଯୋଗାଡ଼ କରିବା ପାଇଁ କହିବା ପରେ ରକ୍ତ ଭଣ୍ଡାର ପକ୍ଷରୁ ମାତ୍ର ଗୋଟିଏ ୟୁନିଟ ରକ୍ତ ଦିଆଯାଇଥିଲା l ଆଉ ରକ୍ତ ଯୋଗାଡ଼ କରିବା କଷ୍ଟ ହୋଇପଡିଥିଲା। କରୋନା ସମୟରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖି ଲତାଙ୍କ ସମ୍ପର୍କୀୟ ଗାଁକୁ ଫୋନ୍‌ କରି ଜଣାଇଥିଲେ। ଏହା ପରେ ଗ୍ରାମର ଜଣେ ବ୍ୟକ୍ତି ‘ବି ପଜିଟିଭ’ ରକ୍ତ ଆବଶ୍ୟକ ଥିବା ଖବରକୁ ବିଭିନ୍ନ ଗ୍ରୁପରେ ପୋଷ୍ଟ କରିଥିଲେ। ଏହା ଦେଖି ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମର ଦ୍ୱିତୀକୃଷ୍ଣ ଦୋରା ତୁରନ୍ତ ନିଜ ବାଇକ ଯୋଗେ ମେଡିକାଲରେ ପହଞ୍ଚିଥିଲେ। ସେ ରକ୍ତ ଦେବା ପରେ ଲତା ସୁସ୍ଥ ହୋଇଥିଲେ। କରୋନା ସମୟରେ ଯୁବକଙ୍କ ଏପରି ମହାନୀୟତା କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଛି l