କରୋନା ସମ୍ପର୍କରେ ସଚେତନ କଲା ‘ସ୍ବଚ୍ଛ ଭାରତ ଅଭିଯାନ’

ବାହାନଗା, ୩୧ା୩(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସାମାଜିକ ସଙ୍ଗଠନ ଆଗେଇ ଆସିଛନ୍ତି। କେତେକ ସଙ୍ଗଠନ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ବେଳେ କେତେକ ସ୍ବଚ୍ଛତା ପ୍ରତି ଗୁରୁତ୍ୱ ଦେଇଛନ୍ତି। ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁରଠାରେ ଥିବା ସ୍ବଚ୍ଛ ଭାରତ ଅଭିଯାନ ସଙ୍ଗଠନ କର୍ମକର୍ତ୍ତାମାନେ ରବିବାର ସକାଳେ ୬ଟାରୁ ୮ଟା ପର୍ଯ୍ୟନ୍ତ ଗୋପାଳପୁର ବଜାରରେ ଲୋକମାନଙ୍କୁ ସଚେତନ କରିବା ସହିତ ବଜାର ଚାରିପାଖ ସଫେଇ କରିଥିଲେ। ସଙ୍ଗଠନର ଆବାହକ ସୁଦର୍ଶନ ମହାପାତ୍ରଙ୍କ ନିର୍ଦ୍ଦେଶରେ ସଙ୍ଗଠନର କର୍ମକର୍ତ୍ତା ବଜାରରେ ବସିଥିବା ଦୋକାନୀମାନଙ୍କୁ କେତେ ଦୂରତ୍ୱରେ ବସି ବ୍ୟବସାୟ କରିବେ ଓ ବଜାରକୁ ଆସୁଥିବା ଲୋକମାନେ କିପରି ନିଜ ନିଜ ମଧ୍ୟରେ ଏକ ମିଟର ଦୂରତ୍ୱ ରଖି ସାମଗ୍ରୀ କିଣିବେ ସେ ବିଷୟରେ ସଚେତନ କରିଥିଲେ। ସଙ୍ଗଠନର କର୍ମକର୍ତ୍ତାମାନେ ମୁହଁରେ ମାକ୍ସ ବାନ୍ଧି ହାତରେ ଗ୍ଲୋଭସ ପିନ୍ଧି ସଫେଇ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି ସଙ୍ଗଠନ ଦୀର୍ଘ ୨୮୬ ସପ୍ତାହ ଧରି ସଫେଇ କରିଚାଲିଛି।