କରୋନା ସନ୍ଦେହ: ପରୀକ୍ଷା ପରେ ବାହାରିଲା ସ୍ବାଇନ ଫ୍ଲୁ

ମାଲକାନଗିରି,୧୪।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମନ୍‌୍‌ଭି-୪୧ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସ୍ବାଇନ ଫ୍ଲୁ ହୋଇଛି। ସେ ହେଲେ ପରିମଲ ବିଶ୍ୱାସ।
ପ୍ରକାଶ ଯେ, ପରିମଲ କିଛିଦିନ ତଳେ କୋଲକାତାରେ ଇସ୍କନ କନ୍‌ଫରେନ୍ସରେ ଯୋଗଦେଇ ଘରକୁ ଫେରିଥିଲେ। ଏହା ପରେ ତାଙ୍କୁ କାଶ ଏବଂ ଜ୍ୱର ଲାଗି ରହିବାରୁ କରୋନା ସନ୍ଦେହରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ତେବେ ତାଙ୍କୁ ବର୍ତ୍ତମାନ ସ୍ବାଇନ ଫ୍ଲୁ ହୋଇଥିବା ଜଣାପଡ଼ିଛି। ଏବେ ତାଙ୍କୁ ଏକ ସ୍ବତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ପରିବାରବର୍ଗଙ୍କୁ ୧୫ ଦିନର ଔଷଧ ପ୍ରଦାନ କରାଯିବ ବୋଲି ଡାକ୍ତର କହିଛନ୍ତି।