କରୋନା ସଚେତନତା ଲାଗି ବୌଦ୍ଧ ଜିଲା ପ୍ରଶାସନର ଅଭିନବ ଉଦ୍ୟମ

ବୌଦ୍ଧ, ୧୯ା୪(ସ୍ବ.ପ୍ର.): କରୋନା ସଂକ୍ରମଣ ସମ୍ପର୍କରେ ସଚେତନତା ଓ ଲକଡାଉନ ନିୟମ ପାଳନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି। ବୌଦ୍ଧ ଗଙ୍ଗାଧର ସ୍ବେଛାସେବୀ ସମିତିର ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ସଚେତନତା ଧର୍ମୀ କ୍ଷୁଦ୍ର ପଥପ୍ରାନ୍ତ ନାଟକ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି। ଏଥିସହିତ ଯମରାଜଙ୍କ ଦ୍ୱାରା ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗଙ୍ଗାଧର ସ୍ବେଛାସେବୀ ସମିତିର ପ୍ରତିଷ୍ଠାତା ଇନ୍ଦ୍ରମଣି ମେହେରଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ କ୍ଷୁଦ୍ର ପଥପ୍ରାନ୍ତ ନାଟକକୁ ବାଉଁଶୁଣୀ ଥାନା ଅଞ୍ଚଳର ବିଭିନ୍ନ ଛକରେ ପ୍ରଦର୍ଶନ କରାଯାଇ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା, ହାତଧୋଇବା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି। ଏହି ନାଟକରେ ଇନ୍ଦ୍ରମଣି ମେହେର ଯମରାଜ ଭୂମିକାରେ ଅଭିନୟ କରିଥିବାବେଳେ ଗୋପାଳ ମେହେର, ମିନୁ ପ୍ରସାଦ ମିଶ୍ର ଓ ସୁଦର୍ଶନ ହୋତା ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଅବସରରେ ମାସ୍କ ବ୍ୟବହାର କରୁ ନ ଥିବା ଓ ସାମାଜିକ ଦୂରତା ରକ୍ଷା କରୁ ନ ଥିବା ଲୋକଙ୍କୁ ଯମରାଜ ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲେ। ଏଥିସହିତ ପୋଲିସ କର୍ମଚାରୀମାନେ ରସିଦ ଦେଇ ଜିଲା ରେଡକ୍ରସ ପାଣ୍ଠି ପାଇଁ ଅର୍ଥ ସଂଗ୍ରହ କରିଥିଲେ।