କରୋନା ସଚେତନତା: ପାନୀୟ ଜଳ ଯୋଗାଣ, ସଫେଇ କର୍ମଚାରୀଙ୍କୁ ୬ ମାସ ଆନ୍ଦୋଳନ ମନା

ଭୁବନେଶ୍ୱର, ୨୩।୩(ବ୍ୟୁରୋ): କରୋନା (କୋଭିଡ-୧୯)ର ଭୟାବହତା ସମଗ୍ର ବିଶ୍ୱକୁ ଥରହର କରିଛି। ରାଜ୍ୟ ସରକାର ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ୫ ଜିଲା ଓ ୮ସହରକୁ ମାର୍ଚ୍ଚ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯାଇଛି। ତେବେ ଅତ୍ୟାବଶ୍ୟକ ଓ ଜରୁରୀ ସେବା ଯୋଗାଇଦେବା ପାଇଁ କେତେକ ବିଭାଗ ଖୋଲା ରହିଛି। ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ଏବଂ ପୌର ସେବା ଯେପରି ବ୍ୟାହତ ନ ହେବ ସେଥିପ୍ରତି ସରକାର ଗୁରୁତ୍ୱ ଦେଉଛନ୍ତି। ସହରାଞ୍ଚଳର ପରିମଳକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ରୋକ୍‌ ଲଗାଯାଇଛି। ପାନୀୟ ଜଳ ଯୋଗାଣ କର୍ମଚାରୀ ଓ ସଫେଇ କର୍ମଚାରୀ କୌଣସି ପରିସ୍ଥିତିରେ ଆନ୍ଦୋଳନକୁ ଓହ୍ଲାଇ ପାରିବେ ନାହିଁ। ଓଡ଼ିଶା ଅତ୍ୟାବଶ୍ୟକ ସେବା(ପରିଚାଳନା) ଆଇନ-୧୯୮୮ର ସେକ୍ସନ ୩ର ଉପସେକ୍ସନ(୧) ଅନୁଯାୟୀ ସଫେଇ ଏବଂ ପାନୀୟ ଜଳ ଯୋଗାଣରେ ନିୟୋଜିତ ଥିବା କୌଣସି ସଂସ୍ଥା କିମ୍ବା କର୍ମଚାରୀଙ୍କ ଆନ୍ଦୋଳନକୁ ବେଆଇନ ଘୋଷଣା କରାଯାଇଛି। ଆସନ୍ତା ୬ ମାସ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ଏ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ସମସ୍ତ ମହାନଗର ନିଗମ, ପୌର ସଂସ୍ଥା, ଜନସ୍ବାସ୍ଥ୍ୟ ବିଭାଗ, ଓଡ଼ିଶା ସ୍ବେରେଜ ବୋର୍ଡ ଏବଂ ଓ୍ବାଟ୍‌କୋ ପ୍ରତି ଏହି କଟକଣା ଜାରି କରାଯାଇଛି। ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ସଫେଇ, ପରିମଳ ଏବଂ ପାନୀୟ ଜଳ ଯୋଗାଣ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀମାନେ ସେମାନଙ୍କ ଦାବି ପୂରଣ ନେଇ ହଠାତ୍‌ କାର୍ଯ୍ୟ ବନ୍ଦ କରିି ଆନ୍ଦୋଳନକୁ ଉହ୍ଲାଉଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଏପରି ଆନ୍ଦୋଳନ ଯେପରି ନ ହେବ ସେଥିପ୍ରତି ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।