କରୋନା ସଚେତନତା ନାଁରେ ବୈଠକ କରି ଜଣେ ଗିରଫ

ଠାକୁରମୁଣ୍ଡା,୩ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ହାତୀଘୋଡା ପଞ୍ଚାୟତର ଘୋଡାବିନ୍ଧା ଗ୍ରାମରେ ଗୁରୁବାର ଅପରାହ୍ନରେ ଗ୍ରାମବାସୀମାନଙ୍କୁ ନେଇ କରୋନା ସଚେତନତା ନାମରେ ବୈଠକ କରିବା ଘଟଣାରେ ଠାକୁରମୁଣ୍ଡା ଥାନା ପୋଲିସ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ନେପା ଜରିକା। ଏନେଇ ଥାନାରେ ଏକ ମାମଲା (ନଂ.୩୯/୨୦୨୦) ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଏକ ସ୍ବେଚ୍ଛାସେବୀ ସଂଗଠନ ସହିତ ଜଡିତ ଥିବା ନେପା ଜରିକା ସକାଳେ ଗ୍ରାମବାସୀଙ୍କ ଘରକୁ ଯାଇ କରୋନା ସଂକ୍ରମଣ ରୋକିବା ଦିଗରେ ଏକ ସଚେତନତା ବୈଠକ ହେବ ବୋଲି ସୂଚନା ଦେଇଥିଲେ। ଅପରାହ୍ନରେ ଏଥିନିମନ୍ତେ ଲୋକମାନେ ଗ୍ରାମରେ ରୁଣ୍ଡ ହୋଇଥିଲେ। ଖବରପାଇ ପୋଲିସ ଫୋର୍ସଙ୍କ ସମେତ ଠାକୁରମୁଣ୍ଡା ଥାନା ଅଧିକାରୀ ନିରୋଜ କୁମାର ସାମଲ, ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁ, ତହସିଲଦାର ପ୍ରଦ୍ୟୁମ୍ନ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ବୈଠକକୁ ବନ୍ଦ କରି ଆୟୋଜକ ନେପାଙ୍କୁ ଗିରଫ କରିଥିଲେ।