କରୋନା ସଚେତନତା କଲା ଭ୍ରାମ୍ୟମାଣ ଗାଡି

ଖପ୍ରାଖୋଲ, ୬ା୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ପୁତୁଲାମହୁଲ ଗାଁରେ ବ୍ଲକ ପ୍ରଶାସନ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିକଳ୍ପର ମିଳିତ ଉଦ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କରୋନାରୁ କିଭଳି ରକ୍ଷା ମିଳି ପାରିବ ସେ ନେଇ ଲୋକଙ୍କୁ ସଚେତନ କରାଯାଇଥିଲା। ଏକ ଭ୍ରାମ୍ୟମାଣ ରାଶନ ଓ ପନିପରିବା ରିହାତି ଦରରେ ମିଳିବା ନେଇ ଏକ ଦୋକାନର ଶୁଭାରମ୍ଭ କରାଯାଇଥିଲା। ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଣୀ ସୁନା ଏହି ଭ୍ରାମ୍ୟମାଣ ଗାଡିର ଶୁଭାରମ୍ଭ କରିଥିଲେ। ଏହି ଗାଡିରେ ରାଶନ ସାମଗ୍ରୀ ସହିତ ପନିପରିବା ରିହାତି ଦରରେ ଗାଁଗାଁ ବୁଲି ଯୋଗାଇ ଦିଆଯିବା ପାଇଁ ବିଆରଏଲଏଫ୍‌ ସହାୟତା ଦେଇଛି। ଲକଡାଉନ ଥିବା ଯାଏଁ ଏହି ଗାଡି ଗାଁଗାଁ ବୁଲି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବ।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସୁରେଶ ବେହେରା, ଗଣେଶ ଭୋଇ, ମହିନାଥ ସୁନା, ବିଜୟ ମଲ୍ଲିକ ଉପସ୍ଥିତ ଥିଲେ।